ଭୁବନେଶ୍ବର: ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି, ପବନ ସହିତ ବର୍ଷା ସମ୍ଭାବନା ଅଛି। ସେଥିପାଇଁ ୩ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ ତାରିଖରେ ଉତ୍ତର ଆଣ୍ଡାମାନସାଗର ଅଞ୍ଚଳରେ ଏକ ନୂତନ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି। ଏହାର ପ୍ରଭାବରେ ଉତ୍ତର ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ, ଅକ୍ଟୋବର ୧ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି।ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲାରେ ଘଡ଼ଘଡ଼ି ସହ ଅଧିକ ବର୍ଷା ସମ୍ଭାବନା ଅଛି। ସେହିପରି ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝରରେ ମଧ୍ୟମ ଧରଣର ବର୍ଷା ହୋଇପାରେ।









