February 26, 2026 10:02 am

ପ୍ରଦୂଷଣ ପ୍ରମାଣପତ୍ର ପାଇଁ ବକେୟା ଚାଲାଣ ପୈଠ କରିବାକୁ ହେବ:ହାଇକୋର୍ଟ

ଭୁବନେଶ୍ୱର :ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର(PUCC) ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ ଚାଲାଣ ପଇଠ କରିବାକୁ ପଡ଼ିବ। ମଙ୍ଗଳ ବାର ଏକ ଜନସ୍ୱାର୍ଥ ମାମଲା (PIL) ର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏହି ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି। କୋର୍ଟ ତାଙ୍କ ନିଷ୍ପତ୍ତିରେ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ର ଧାରା ୧୬୭, ଉପ-ଧାରା (୧୨) ର ଉଲ୍ଲେଖ କରିଛନ୍ତି। ଏହି ନିୟମ ଅନୁଯାୟୀ, ଯଦି କୌଣସି ଗାଡ଼ି ନାମରେ ଚାଲାଣ ବାକି ରହିଛି, ତେବେ ସେହି ଗାଡ଼ି ମାଲିକ PUCC ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଏହି ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କୋର୍ଟରେ ହାଜର ହୋଇଥିଲେ।ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୨୫ ଡିସେମ୍ବର ୨୦ ତାରିଖରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଯେଉଁଥିରେ ପେଟ୍ରୋଲ ପମ୍ପରୁ ତେଲ ପକାଇବା ପାଇଁ PUCC ବାଧ୍ୟତାମୂଳକ କରାଯାଇଥିଲା। ତେବେ ଚଳିତ ବର୍ଷ ଜାନୁଆରୀ ମାସରେ ରାଜ୍ୟ ସରକାର ହାଇକୋର୍ଟରେ ଏକ ସପଥ ପାଠ ଦାଖଲ କରି ଜଣାଇଛନ୍ତି ଯେ, ଏହି ‘ନୋ ପିୟୁସିସି, ନୋ ଫ୍ୟୁଲ’ ନିୟମକୁ ପ୍ରତ୍ୟାହାର କରିନିଆଯାଇଛି। ବର୍ତ୍ତମାନ ହାଇ କୋର୍ଟଙ୍କ ନୂଆ ନିର୍ଦ୍ଦେଶ ପରେ ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ ହେବ।