ଶାନ୍ତନୁ କୁମାର ରଣା
ବ୍ରହ୍ମପୁର: ପୁଅ-ଝିଅ ଭେଦଭାବ ଦୂର ପାଇଁ ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବେଟି ବଚାଓ ବେଟି ପଢ଼ାଓ ଯୋଜନାରେ ଶିଶୁକନ୍ୟାର ସୁରକ୍ଷା, ଝିଅମାନଙ୍କ କାର୍ଯ୍ୟଦକ୍ଷତା ଓ ସାମଗ୍ରିକ ବିକାଶ ପାଇଁ କାମ କରାଯାଉଛି । ତଥାପି ଲୋକେ ଏ ଦିଗରେ ସଚେତନ ହେଉ ନାହାନ୍ତି । ଝିଅ ଜନ୍ମ ପରେ ପରିବାରବର୍ଗ ତାକୁ ବୋଝ ବୋଲି ଭାବୁଛନ୍ତି । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି ଦୁଇ ଦିବ୍ୟାଙ୍ଗ ଝିଅ ଏମ୍. ଶିବାନୀ ଓ ମମତା ଭୂୟାଁ । ଉଭୟଙ୍କ ଆଖିକୁ ଦେଖାଯାଉନାହିଁ । ଦୁନିଆକୁ ଦେଖିବା, ଚିହ୍ନିବା ବୟସରେ ପିଲାରୁ ଉଭୟେ ଦୃଷ୍ଟିଶକ୍ତି ହରାଇ ବସିଥିଲେ । ବୟସ ବଢ଼ିବା ଅନୁସାରେ ସମସ୍ୟା ବଢ଼ି ଚାଲିଲା । ତଥାପି ସେମାନେ ଭାଙ୍ଗି ପଡ଼ି ନଥିଲେ ।
ଜୀବନଯୁଦ୍ଧରେ ଏକାକୀ ଯୋଦ୍ଧା ସାଜି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛନ୍ତି ଶିବାନୀ ଓ ମମତା । ଉଭୟେ ବ୍ରହ୍ମପୁର ସହର ରାସ୍ତାକଡ଼ରେ ଏକ ଅସ୍ଥାୟୀ ଦୋକାନ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତିି । ସେମାନେ କେବେ ହେଲେ ପରିବାର ଉପରେ ବୋଝ ହୋଇନାହାନ୍ତି ବରଂ ପରିବାର ଚଳାଇବାରେ ସହାୟକ ହୋଇଛନ୍ତି । ଏମାନଙ୍କ ଏଭଳି ଦୃଢ଼ ମନୋବଳ ଆଗରେ ଶାରିରୀକ ଅକ୍ଷମତା ହାର୍ ମାନିଛି । ଦିଗପହଣ୍ଡି ବ୍ଲକ୍ ବାସୁଦେବପୁର ଗ୍ରାମର ଏମ୍. ବୀର ଓ ଏମ୍ କାରିଆମ୍ମାଙ୍କ ଝିଅ ହେଉଛନ୍ତି ଶିବାନୀ । ତାଙ୍କର ଗୋଟିଏ ଆଖିକୁ ଆଦୌ ଦେଖାଯାଉନଥିବା ବେଳେ ଗୋଟିଏ ଆଖି ଝାପ୍ସା ଦିଶୁଛି । ବାପା ବୀର ଆରପାରିକୁ ଚାଲିଗଲେଣି । ସେହିପରି କୋଦଳା କୁସୁମପୁର ଗ୍ରାମର ଛଇଲ ଭୂୟାଁ ଓ ସୁମିତ୍ରା ଭୂୟାଁଙ୍କ ଝିଅ ମମତାଙ୍କ ମଧ୍ୟ ଦୃଷ୍ଟିଶକ୍ତି କମ୍ ରହିଛି । ସେହିପରି ତାଙ୍କର ଗୋଟିଏ ହାତ ଏବଂ ଗୋଡ଼ ମଧ୍ୟ ଭଲ ଭାବେ କାମ କରୁନାହିଁ । ଏଭଳି ସ୍ଥିତିରେ ଉଭୟଙ୍କୁ ବଞ୍ôଚବାର ରାହା ଦେଖାଇବା ସହିତ ପ୍ରେରଣାର ଉତ୍ସ ସାଜିଛି ପ୍ରଶାନ୍ତି ଟ୍ରଷ୍ଟ । ଏହି ଟ୍ରଷ୍ଟର ସଦସ୍ୟା ଭାବେ କାମ କରୁଛନ୍ତି ଶିବାନୀ ଓ ମମତା ।
ଇଞ୍ଜିନିୟରିଂ ସ୍କୁଲ ରୋଡ୍ ଫୁଟ୍ପାଥରେ ଏକ ଦୋକାନ କରି ସେଠାରେ ଫିନାଇଲ୍, ଧୂପପାଠି ସହିତ ବିଭିନ୍ନ ଷ୍ଟେସନାରୀ ଜିନିଷ ବିକ୍ରି କରୁଛନ୍ତି । ବିଭିନ୍ନ ସମୟରେ ସେମାନେ ଗାଁକୁ ଯାଉଥିବା କହିଛନ୍ତି । ପ୍ରଶାନ୍ତି ପବ୍ଲିକ ୱେଲ୍ଫେୟାର ଟ୍ରଷ୍ଟ୍ ଦୀର୍ଘ ବର୍ଷ ହେଲା ଏଭଳି ଭିନ୍ନକ୍ଷମ ପୁଅ-ଝିଅଙ୍କ ପାଇଁ ମାକ କରି ଆସୁଛି । ଏହି ଟ୍ରଷ୍ଟର ଏକ ଶାଖା ହେଉଛି ଶ୍ରୀରାମ ଭିନ୍ନକ୍ଷମ ହନୁମାନ ଚାଳିଶା ଗ୍ରୁପ୍ । ଅଳକାପୁରୀ ୧୧ତମ ଲାଇନ୍ରେ ରହିଥିବା ଏହି ଗ୍ରୁପ୍ରେ ଭିନ୍ନକ୍ଷମ ଯୁବକଯୁବତୀ ସଦସ୍ୟ/ସଦସ୍ୟା ରହିଛନ୍ତି । ପ୍ରତିଷ୍ଠାତା ଦେବାଶିଷ ପରମାଣିକ ମଧ୍ୟ ଜଣେ ଦୃଷ୍ଟିହୀନ । ଦୀର୍ଘ ୮ ବର୍ଷ ହେଲା ସେ ଭିନ୍ନକ୍ଷମ ଯୁବକ/ଯୁବତୀଙ୍କୁ ନେଇ ହନୁମାନ ଚାଳିଶା କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛନ୍ତି । ଏହା ବ୍ୟତୀତ ଗ୍ରୁପ୍ର ସଦଦ୍ୟ ସଦସ୍ୟାଙ୍କୁ ନେଇ ଧୂପକାଠି, ଫିନାଇଲ୍ ଆଦି ତିଆରି କରୁଛନ୍ତି । ସେହି ସାମଗ୍ରୀଗୁଡ଼ିକ ଇଞ୍ଜିନିୟରିଂ ସ୍କୁଲ ଫୁଟପାଥରେ ବିକ୍ରି କରୁଛନ୍ତି । ବିଧାୟକ ଶ୍ରୀ ପଣ୍ଡା ବିଭିନ୍ନ ସମୟରେ ଏହି ଦିବ୍ୟାଙ୍ଗ ପିଲାଙ୍କୁ ସହାୟତା କରିଆସୁଛନ୍ତି । ମମତା ଓ ଶିବାନୀ ହିଁ ଦୋକାନର ସମସ୍ତ କାମ କରିଥାନ୍ତି ବୋଲି ଦେବାଶିଷ କହିଛନ୍ତି ।