February 26, 2026 2:35 pm

ସରକାରୀ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ପାଳନକୁ କଢ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ସରକାରୀ ନିଯୁକ୍ତିରେ କମ୍ପ୍ୟୁଟର ଯୋଗ୍ୟତା ସମ୍ପର୍କିତ ନିୟମକୁ ସଠିକ୍ ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ୨୭ ଜାନୁଆରୀ ୨୦୨୬ ତାରିଖରେ ଜାରି ହୋଇଥିବା ସରକାରୀ ପତ୍ରରେ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ, ରେଭେନ୍ୟୁ ଡିଭିଜନାଲ୍ କମିଶନର ଓ ଜିଲ୍ଲାପାଳମାନଙ୍କୁ ଏହି ନିୟମ କଢ଼ାକଡ଼ି ଭାବେ ପାଳନ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି। ସରକାରୀ ପତ୍ରରେ ୮ ଫେବୃଆରୀ ୨୦୨୧ ତାରିଖରେ ଜାରି ହୋଇଥିବା ନୋଟିଫିକେସନକୁ ଉଦ୍ଧୃତ କରାଯାଇଛି। ସେହି ନୋଟିଫିକେସନ୍ ଅନୁଯାୟୀ, ଓଡ଼ିଶା ଜ୍ଞାନ କର୍ପୋରେସନ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ରାଜ୍ୟସ୍ତରୀୟ କମ୍ପ୍ୟୁଟର ପାଠ୍ୟକ୍ରମ (OS-CIT) କୁ ସରକାରୀ ନିଯୁକ୍ତି ପାଇଁ ମୌଳିକ କମ୍ପ୍ୟୁଟର ଦକ୍ଷତାର ଏକ ମାନ୍ୟତାପ୍ରାପ୍ତ ଓ ଭରସାଯୋଗ୍ୟ ପ୍ରମାଣ ଭାବେ ସ୍ୱୀକୃତି ଦିଆଯାଇଛି। ପତ୍ରରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, UGC କିମ୍ବା AICTE ସ୍ୱୀକୃତ ପ୍ରାପ୍ତ ସଂସ୍ଥାରୁ ପ୍ରଦତ୍ତ PGDCA ଓ DCA ସାର୍ଟିଫିକେଟ୍, ଏବଂ NIELIT ‘O’ ଲେଭେଲ୍ ଯେଉଁଠାରେ କମ୍ପ୍ୟୁଟର ଯୋଗ୍ୟତା ନିର୍ଦ୍ଦିଷ୍ଟ ରହିଛି, ସେଠାରେ OS-CIT ପାଠ୍ୟକ୍ରମକୁ ସମତୁଲ୍ୟ ଯୋଗ୍ୟତା ଭାବେ ଗ୍ରହଣ କରାଯିବ।