ଭୁବନେଶ୍ବର: ଆଜି ଠାରୁ ସକାଳ ୧୦ରୁ ୧୧ଟା ଏକ ଘଣ୍ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାରେ ବହିର୍ବିଭାଗ, ଓପିଡି ବନ୍ଦ ରହିବ । ଏହାସହ ଜାତୀୟ ସ୍ବାସ୍ଥ୍ୟ ମିସନ୍ ପକ୍ଷରୁ ହେଉଥିବା କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯିବ । ଏନେଇ ଓଡ଼ିଶା ମେଡିକାଲ ସେବା ସଂଘ, ଓମସା ପକ୍ଷରୁ ଘୋଷଣା କରାଯାଇଛି ।ରାଜ୍ଯର ସମସ୍ତ ସରକାରୀ ମେଡିକାଲରେ ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ଡାକ୍ତରମାନେ ଓପିଡିରେ ରୋଗୀ ଦେଖିବେ ନାହିଁ । ସେପଟେ, ଓଡ଼ିଶା ମେଡିକାଲ ସେବା ସଂଘ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସକରାତ୍ମକ ରହିଛି । ହେଲେ ପୂର୍ବ ଘୋଷଣା ଅନୁଯାୟୀ ଓମ୍ସା ଆନ୍ଦୋଳନ ଜାରି ରଖିବା ଲାଗି ନିଷ୍ପତ୍ତି ନେଇଛି । ଦୁଇ ଦିନ ପୂର୍ବେ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ଓମ୍ସା ମଧ୍ୟରେ ଅନୁଷ୍ଠିତ ବୈଠକରେ ସଂଘର ରହିଥିବା ଦାବିକୁ ସମ୍ମାନ ଜଣାଇ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ, ସମସ୍ୟାର ସମାଧାନ ପାଇଁ ଏକ କମିଟି ଗଠନ କରାଯିବ । କମିଟି ଦାବିଗୁଡ଼ିକର ଅନୁଧ୍ୟାନ କରି ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯିବ । ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସଂଘ ଯେଉଁ ଆନ୍ଦୋଳନ ଡାକରା ଦେଇଛି ସେଥିରୁ ନିବୃତ୍ତ ରହିବା ଲାଗି ସ୍ବାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ଓମ୍ସା ପକ୍ଷରୁ କୁହାଯାଇଛି କି ନଭେମ୍ବର ୧୯ ତାରିଖରେ କମିଟି ଗଠନ ହେବାର ନିଷ୍ପତ୍ତି ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ। ତେଣୁ ଓମ୍ସା କର୍ମକର୍ତ୍ତା ଅସନ୍ତୋଷ ପ୍ରକାଶ କରି ଏପରି ଆନ୍ଦୋଳନ ଜାରି ରଖିଛନ୍ତି ।









