July 12, 2025 4:15 pm

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’: ତ୍ରୁଟି ଦର୍ଶାଇଲେ ପୂର୍ବତନ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ସ୍ୱପ୍ନ ପାଇଁ ପ୍ରସ୍ତୁତ ହୋଉଥିବା ବେଳେ ଏହାକୁ ଦେଶର ଅନେକ ପୂର୍ବତନ ମୁଖ୍ୟ ବିଚାରପତି ଏହି ବ୍ୟବସ୍ଥାକୁ ସାମ୍ବିଧାନିକ ଭାବେ ବୈଧ ବୋଲି ବିବେଚନା କରିଛନ୍ତି । କିନ୍ତୁ ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜେ.ଏସ୍. ଖେହର ଏଥିରେ ଏକ ବଡ଼ ତ୍ରୁଟି ଧରିଛନ୍ତି। ଉଭୟେ ମିଳିତ ସଂସଦୀୟ କମିଟିକୁ ବିଲ୍‌ରେ ଏକ ଗ୍ରେ ଏରିଆ ନେଇ ଚିନ୍ତର ପ୍ରକଟ କରିଛନ୍ତି । ଉଭୟ ବିଚାରପତି ସ୍ପଷ୍ଟ କରିଥିଲେ ଯେ ଏକକାଳୀନ ନିର୍ବାଚନ କରିବା ସହଜ, ଏଥିରେ କୌଣସି ସାମ୍ବିଧାନିକ ବାଧ୍ୟବାଧକତା ରହିବ ନାହିଁ । କିନ୍ତୁ ବିଲର କେତେକ ଦିଗ, ବିଶେଷ କରି ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ବ୍ୟାପକ କ୍ଷମତା ଉପରେ ଗୁରୁତ୍ବାରୋପ କରିଛନ୍ତି । ଉଭୟ ପୂର୍ବତନ ମୁଖ୍ୟ ବିଚାରପତି ବିଲ୍‌ରେ ଧାରା ୮୨ଏ (୫) ଉପରେ ଆପତ୍ତି ଉଠାଇଛନ୍ତି, ଯାହା ନିର୍ବାଚନ କମିସନଙ୍କୁ ଲୋକସଭା ନିର୍ବାଚନଠାରୁ ପୃଥକ ଭାବରେ ବିଧାନସଭା ନିର୍ବାଚନ କରିବାକୁ ସୁପାରିଶ କରିବାର ଅଧିକାର ପ୍ରଦାନ କରେ। ଖେହର ହେଉଛନ୍ତି ତୃତୀୟ ପୂର୍ବତନ ପ୍ରଧାନ ବିଚାରପତି ଯିଏ ଏହି ଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ପୂର୍ବରୁ ରଞ୍ଜନ ଗୋଗୋଇ ଏବଂ ଚନ୍ଦ୍ରଚୂଡ଼ ମଧ୍ୟ ଏହା ଉପରେ ଆପତ୍ତି ଉଠାଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁସାରେ, ଖେହର ପରାମର୍ଶ ଦେଇଥିଲେ ଯେ ନିର୍ବାଚନ ତାରିଖ ନିଷ୍ପତ୍ତି ନେବାରେ ସଂସଦ କିମ୍ବା କେନ୍ଦ୍ର କ୍ୟାବିନେଟର ମଧ୍ୟ ଭୂମିକା ରହିବା ଉଚିତ। କେବଳ ନିର୍ବାଚନ କମିଶନଙ୍କ ବିବେଚନା ଉପରେ ସବୁକିଛି ଛାଡିଦେବା ସମ୍ବିଧାନର ଆତ୍ମା ସହିତ ସଙ୍ଗତ ନୁହେଁ। ସେହି ସମୟରେ, ଚନ୍ଦ୍ରଚୂଡ଼ ବିଲ୍ ସମ୍ପର୍କରେ କମିଟିକୁ ତାଙ୍କର ଲିଖିତ ପରାମର୍ଶ ମଧ୍ୟ ଦେଇସାରିଛନ୍ତି, ଯେଉଁଥିରେ ଚନ୍ଦ୍ରଚୂଡ କେଉଁ ପରିସ୍ଥିତିରେ କମିସନଙ୍କ ବ୍ୟାପକ କ୍ଷମତା ବ୍ୟବହାର କରିପାରିବେ ତାହାର ରୂପରେଖ ପ୍ରସ୍ତୁତ ହେବା ଉଚିତ୍ ବୋଲି କହିଛନ୍ତି । ତଥାପି, ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ ଏହି ବିଲ୍ ସମ୍ବିଧାନର ମୌଳିକ ଗଠନକୁ ଉଲ୍ଲଂଘନ କରେ ନାହିଁ ବୋଲି ଉଭୟ ପୂର୍ବତନ ମୁଖ୍ୟ ବିଚାରପତି ସ୍ପଷ୍ଟ କରିଦେଇଥିଲେ। ଚନ୍ଦ୍ରଚୂଡ଼ ସ୍ପଷ୍ଟ ଶବ୍ଦରେ କହିଛନ୍ତି, ଏହା ସମ୍ବିଧାନର ମୌଳିକ ଢାଞ୍ଚାକୁ କ୍ଷତି ପହଞ୍ଚାଏ ନାହିଁ। ସମ୍ବିଧାନରେ କୌଣସି ସ୍ଥାନରେ ଜାତୀୟ ଓ ରାଜ୍ୟ ନିର୍ବାଚନକୁ ଅଲଗା କରିବାର ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି ।