December 10, 2025 11:15 pm

ବିଧାନସଭା ଶୀତ ଅଧିବେଶନ ସମୟ ପୂର୍ବରୁ ସରିଲା; ୧୧ ଦିନ ଚାଲିଲା ଗୃହ

ଭୁବନେଶ୍ୱର: ସମୟ ପୂର୍ବରୁ ବିଧାନସଭା ଶୀତ ଅଧିବେଶନ ଶେଷ । ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ। ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଲା । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ । ନଭେମ୍ବର ୨୭ ତାରିଖରେ ଆରମ୍ଭ ହୋଇଥିଲା ବିଧାନସଭା ଶୀତ ଅଧିବେଶନ । ଏଥର ବିଧାନସଭାର ଶୀତ ଅଧିବେଶନ ବେଶ୍‌ ଚର୍ଚ୍ଚିତ ଥିଲା । କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ। ବିଧାୟକମାନେ କେମିତି ଆଚରଣ ଓ ଉଚ୍ଚାରଣ କରିବେ ସେନେଇ ସଚେତନ କରାଇଥିଲେ । ଖାଲି ଏତିକି ନୁହେଁ ବରଂ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ଅନେକ ପ୍ରସଙ୍ଗରେ ଶାସକ ଓ ବିରୋଧୀ ବି ଗୃହରେ ମୁହାଁମୁହିଁ ହେବାର ଦେଖାଯାଇଥିଲା । ଏଣେ ବିଧାନସଭାରେ ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ଯାଏ ସମସ୍ତଙ୍କର ଦରମା ବୃଦ୍ଧି ବିଲ୍ ପାରିତ ହୋଇଛି। ଖାସ୍‌ କରି ବିଧାନସଭାର ଶେଷ ଦିନରେ ମାଲକାନଗିରିକୁ ନେଇ କମ୍ପିଥିଲା ଗୃହ ।