ଭୁବନେଶ୍ୱର: ପ୍ରତି ବର୍ଷ ହଜାର ହଜାର ଓଡ଼ିଆ ଶ୍ରମିକ ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ବଲାଙ୍ଗୀର ଜିଲ୍ଲାରୁ ଅଧିକ ଶ୍ରମିକ ଯାଉଥିବା ସୂଚନା ମିଳିଛି । ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପଚାରିଥିବା ପ୍ରଶ୍ନରେ ଶ୍ରମ ମନ୍ତ୍ରୀ କହିଥିଲେ ଯେ, ପ୍ରତିବର୍ଷ ୭୦ ହଜାରରୁ ଅଧିକ ଓଡ଼ିଆ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ୨୦୨୩ରେ ୮୧୨୩୨ ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଏଥିରେ ମାତ୍ର ୧୨୩୧ ଜଣଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ୨୦୨୪ରେ ୭୦୧୪୨ ଓ ୨୦୨୫ ନଭେମ୍ବର ସୁଦ୍ଧା ୭୦,୩୬୦ ଜଣ ଦାଦନ ଖଟିବାକୁ ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧୩୭ ଏବଂ ୧୧୦୭ ଜଣଙ୍କୁ ଯଥାକ୍ରମେ ଲାଇସେନ୍ସ ପ୍ରଦାନ କରାଯାଇଛି । ପ୍ରତି ବର୍ଷ ବଲାଙ୍ଗୀର ଜିଲ୍ଲାରୁ ୫୦ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ଦାଦନ ଖଟିବାକୁ ଯାଉଛନ୍ତି । ଶ୍ରମ ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ବଲାଙ୍ଗୀର ଜିଲ୍ଲାରୁ ୨୦୨୩ରେ ୫୪,୧୬୬, ୨୦୨୪ରେ ୪୯୯୮୮ ଏବଂ ୨୦୨୫ରେ ୫୧୫୮୧ ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇଛନ୍ତି । ସେହିପରି ବଲାଙ୍ଗୀର ତଳକୁ ନୂଆପଡ଼ା ଜିଲ୍ଲା ଦ୍ୱିତୀୟରେ ରହିଛି । ନୂଆପଡ଼ାରୁ ୨୦୨୩ରେ ୧୫୬୩୫, ୨୦୨୪ରେ ୧୨୧୬୦ ଏବଂ ୨୦୨୫ରେ ୮୬୫୫ ଜଣ ଦାଦନ ଖଟିବାକୁ ଯାଇଛନ୍ତି । ଅଧିକ ଅର୍ଥ ଉପାର୍ଜନ ପାଇଁ ବାହାର ରାଜ୍ୟକୁ ଶ୍ରମିକମାନେ ଯାଉଛନ୍ତି । ପ୍ରବାସୀ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ଅକ୍ଟୋବର ୨୦୨୪ରେ ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯାଇଛି । ବିଭିନ୍ନ ଯୋଜନାରେ ପ୍ରବାସୀ ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି । ସେହିପରି ମନରେଗା ଯୋଜନାରେ ୯ଟି ପ୍ରବାସୀ ପ୍ରବଣ ଜିଲ୍ଲାର ୩୦ଟି ବ୍ଲକ୍ ଅଧିନସ୍ଥ ୭୦୪ଟି ଗ୍ରା.ପ କାର୍ଯ୍ୟ ଦିବସକୁ ୩୦୦ ଦିନକୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଏହାଛାଡ, ୧୪ ଗୋଟି ପ୍ରବାସୀ ପ୍ରବଣ ଜିଲ୍ଲା ଯଥା ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କୋରାପୁଟ ପୁଟ, ରାୟଗଡ଼ା, ନବରଙ୍ଗପୁର, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଇତ୍ୟାଦି ଜିଲ୍ଲାଗୁଡ଼ିକରେ ଗ୍ରାମପଞ୍ଚାୟତ ସ୍ତରରେ ସ୍ବେଚ୍ଛାକୃତ ପଞ୍ଜିକରଣ ବ୍ୟବସ୍ଥା, ସଚେତନତା କାର୍ଯ୍ୟକ୍ରମ, ପୋଲିସ ସହଯୋଗରେ ବେଆଇନ ଶ୍ରମିକ ନିଯୁକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଋତୁକାଳୀନ ଛାତ୍ରାବାସର ବ୍ୟବସ୍ଥା ଇତ୍ୟାଦି କରାଯାଇଛି । ଏହାଛଡା ଶ୍ରମ ଓ କର୍ମଚାରୀ ର ରାଜ୍ୟ ବୀମା ବିଭାଗ ଅଧୀନସ୍ଥ ଏକ ଶ୍ରମିକ ସହାୟତା ହେଲ୍ପ ଲାଇନ (୧୮୦୦୩୪୫୬୭୦୩) ରାଜ୍ୟ ଯଥା ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଗୁଜରାଟର ସୁରଟଠାରେ ଓଡିଶା ପ୍ରବାସୀ ଶ୍ରମିକ ସହାୟତା ଡେସ୍କକୁ କାର୍ଯ୍ୟକ୍ଷମ କରାଯାଇଛି ।









