ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟରେ ଆଗାମୀ ଦିନରେ କୌଣସି ହ୍ରାସ ହେବ ନାହିଁ। ଦୀର୍ଘ ୨୦ ମାସ ଧରି ଏହା ଅପରିବର୍ତ୍ତିତ ରହିଛି। ବିଶ୍ଵ ବଜାରରେ ଅଶୋଧିତ ତେଲ ଦାମ୍ କମିବା ଏବଂ ବିକ୍ରିରେ କଂପାନିଗୁଡ଼ିକ ଲାଭ କରୁଥିବା ସ୍ଥଳେ ସାଧାରଣ ଖାଉଟିଙ୍କ ଲାଗି ପୂର୍ବ ଦର ବଳବତ୍ତର ରହିଛି। ତେଲ ଦାମ୍ କମ୍ କରିବାର କୌଣସି ଯୋଜନା ନାହିଁ ବୋଲି ଆଜି ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଉଛି ତାହା କେବଳ କଳ୍ପନାଜଳ୍ପନା ବୋଲି ସେ କହିଛନ୍ତି। ସରକାରଙ୍କ ଆଭିମୁଖ୍ୟର ଆଭାସ ଦେଇ ସେ ଜଣାଇଛନ୍ତି ଯେ ତେଲ ଦାମ୍ କମାଇବା ନେଇ କଂପାନିଗୁଡ଼ିକ ସହ କିଛି ବି ଆଲୋଚନା ହୋଇନି। ଦାମ୍ ଦୀର୍ଘକାଳୀନ ଭିତ୍ତିରେ ସ୍ଥିର ଓ ସକାରାତ୍ମକ ରହୁ ବୋଲି ଆମେ ଚାହୁଥିବା ସେ କହିଛନ୍ତି। ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ରେ ଲିଟର ପିଛା ୪-୬ ଟଙ୍କାର ହ୍ରାସ ଆଣିବା ସମ୍ଭାବନା ରହିଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।
ନିଜର ୮୦ ପ୍ରତିଶତ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଥିବା ଭାରତ ଏବେ ତେଣ କିଣା ରଣନୀତି ବଦଳାଇବା ଉପରେ ବିଚାର କରୁଛି। କାରଣ ରୁଷ୍ ଦେଉଥିବା ରିହାତି କମ୍ ହୋଇଥିବାରୁ ସେଠାରୁ ତେଲ ମଗାଇବା ଆଉ ବ୍ୟାବସାୟିକ ଦୃଷ୍ଟିକୋଣରୁ ଲାଭଦାୟକ ମନେ ହେଉନାହିଁ। ତେଣୁ ସାଉଦି ଆରବ, ଭେନେଜୁଏଲା ଭଳି ଦେଶରୁ ଭାରତ ତେଲ ମଗାଇବା ଆରମ୍ଭ କରିଛି। ଯେଉଁ ଦେଶଗୁଡ଼ିକ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇ ନାହିଁ, ସେଭଳି ଦେଶରୁ ତେଲ କିଣିବା ଲାଗି ଭାରତ ଉଦ୍ୟମ କରୁଛି।