June 26, 2025 6:30 pm

ନୟାଗଡ଼ ଏମଭିଆଇଙ୍କ ସମ୍ପତ୍ତି: ମାତ୍ର ଦୁଇଟି କୋଠା, ୩୧ ପ୍ଲଟ୍

ଭୁବନେଶ୍ୱର: ଓଡିଶା ଭିଜିଲାନସ୍ ନୟାଗଡ ଏମଭିଆଇ(ମୋଟର ଭେଇକିଲ୍ ଇନସପେକ୍ଟର) ପଞ୍ଚାନନ  ଓରଫ୍ ପଞ୍ଚୁ ବେହେରାଙ୍କୁ ଆୟବହିର୍ଭୂତ  ସମତି ଠୁଳ କରିଥିବା ଅଭିଯୋଗରେ ଗିରଫ କରିଛି। 

ତାଙ୍କର  ଭୁବନେଶ୍ୱରରେ ଦୁଇ ଦୁଇଟି କୋଠା ସାଙ୍ଗକୁ  ରାଜଧାନୀର ପ୍ରମୁଖ ଜାଗାରେ ୩୧ ଟି ପ୍ଲଟ  ର ସନ୍ଧାନ ମିଳିଛି। ସେଥିରେ ୧୦ ଟି ବେନାମୀ ପ୍ଲଟ୍ ମଧ୍ୟ ରହିଛି । ଖାଲି ସେତିକି ନୁହେଁ, ବ୍ୟାଙ୍କ ଓ ଇନସୁରାନ୍ସରେ ୭୨ ଲକ୍ଷ ଟଙ୍କା ଜମା ରଖିଛନ୍ତି । ୧୫ ଲକ୍ଷ ଟଙ୍କାର ଟଙ୍କାର ଗହଣାଗାଣ୍ଠି କରିଛନ୍ତି । ୫୦ ଲକ୍ଷରୁ ଅଧିକ ଟଙ୍କା ଦେଇ ପୁଅକୁ ମେଡିକାଲ୍ ପାଠ ପଢ଼ଉଛନ୍ତି ।

ଆଜି ଭିଜିଲାନସ୍ ହାବୁଡ଼ରେ ପଡ଼ିଥିବା ଏହି ବାବୁ ହେଉଛନ୍ତି ନୟାଗଡ ଏମଭିଆଇ(ମୋଟର ଭେଇକିଲ୍ ଇନସପେକ୍ଟର) ପଞ୍ଚାନ ଓରଫ୍ ପଞ୍ଚୁ ବେହେରା । ରାଜଧାନୀର ସ୍ଥାୟୀ ବାସିନ୍ଦା ପାଲଟିଥିବା ଏହି ବାବୁଙ୍କର ପୈତୃକ ଗାଁ ହେଉଛି କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ବାଲିଆପଡ଼ା ।

ପଞ୍ଚୁବାବୁ ବେଆଇନ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ଭିଜିଲାନସ୍ ହାତରେ ଲାଗିବା ପରେ ଆଜି ସକାଳୁ ସକାଳୁ ତାଙ୍କ ଘର ଓ ଅଫିସ୍ ଉପରେ ଚଢ଼ଉ ଆରମ୍ଭ ହୋଇଥିଲା । ଭୁବନେଶ୍ୱର, ନୟାଗଡ଼ ଏବଂ କଟକର ୭ଟି ଜାଗାରେ ଏହି ଚଢ଼ଉରେ ସାମିଲ ଥିଲେ ୬ ଜଣ ଡିଏସପି, ୩ ଜଣ ଇନସପେକ୍ଟର, ୮ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ।

ଆଜି ଦିନରେ ଠାବ ହୋଇଥିବା ତାଙ୍କ ସମ୍ପତ୍ତି ତାଲିକା ଜାରି କରିଛି ଭିଜିଲାନସ୍ ବିଭାଗ । ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ତାଙ୍କର ଅଛି ୩ ହଜାର ବର୍ଗଫୁଟ ଜାଗାରେ ଦୁଇ ମହଲାର କୋଠା, ଭୁବନେଶ୍ୱର ପାଣ୍ଡରାସ୍ଥିତ ସତ୍ୟ ବିହାରରେ ୨୪୦୦ ବର୍ଗଫୁଟ ଜାଗାରେ ଏକ ମହଲା କୋଠା, ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ୩୧ ଟି ପ୍ଲଟ୍ । ଯେଉଁଥିରେ ଅଛି ୧୦ଟି ବେନାମୀ ପ୍ଲଟ୍ ।

କେବଳ ପଥରଗାଡ଼ିଆ ମୌଜାରେ ଅଛି ୧୭ଟି ପ୍ଲଟ୍ । ଚନ୍ଦ୍ରଶେଖରପୁର, ଦାରୁଠେଙ୍ଗ, ଶାମପୁର, ପାଣ୍ଡରା, ରଘୁନାଥପୁର ପ୍ରଭୃତି ଜାଗାରେ ମଧ୍ୟ ତାଙ୍କର ପ୍ଲଟ୍ ।

୪ଟି ଚାରି ଚକିଆ ଗାଡ଼ି ତାଙ୍କର । ସେଗୁଡ଼ିକ ହେଉଛି ମାରୁତି ସୁଜୁକି କାର୍, ଫୋର୍ଡ ଫିଗୋ କାର୍, ଚେଭରୋଲେଟ ଡିଏସଏଲ କାର୍ ଏବଂ ଅଶୋକ ଲେଲ୍ୟାଣ୍ଡ ପିକ-ଅପ୍ । ହେଲେ ସବୁଯାକ ବେନାମୀ ଗାଡ଼ି । ଗୋଟିଏ ଦୁଇ ଚକିଆ ଯାନ ବି ରହିଛି ।

ବିଭିନ୍ନ ବ୍ୟାଙ୍କ ଓ ଇନସୁରାନ୍ସରେ ୭୨.୮୦ ଲକ୍ଷ ଟଙ୍କା ଜମା ରଖିଛନ୍ତି । ଘରେ ଦାମୀ ଆସବାବପତ୍ର ରହିଛି । ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଏବଂ ସାମଗ୍ରୀ ଠାବ ହୋଇଛି । ପଞ୍ଚୁ ବାବୁ ତାଙ୍କ ପୁଅକୁ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟରେ ମେଡ଼ିକାଲ୍ ପଢ଼ଉଛନ୍ତି । ସେ ବାବଦରେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଅନୁସନ୍ଧାନ ଜାରି ରହିଥିବାରୁ ଆହୁରି ଅଧିକ ସମ୍ପତ୍ତି ମିଳିପାରେ ବୋଲି ସୂଚନା ମିଳିଛି ।

ଏମଭିଆଙ୍କର ଏତେ ସମ୍ପତ୍ତି ସାରା ରାଜ୍ୟରେ ସମସ୍ତଙ୍କୁ ଅବାକ କରିଛି।  ତାଙ୍କର ସେଭଳି ପୈତୃକ ସମ୍ପତ୍ତି କିମ୍ବା ପରିବାରର କୌଣସି ବ୍ୟବସାୟର ସନ୍ଧାନ ମିଳି ନ ଥିବାରୁ ଦୁର୍ନୀତି ଉପାୟରେ ସେ ଏହି ସବୁ ସମ୍ପତ୍ତି ଅର୍ଜିଥିବା ଅନୁମାନ କରାଯାଉଛି ।