April 12, 2026 12:37 am

ସଫଳ ହେଲା ନାସା ର ଆର୍ଟେମିସ୍-II ମିଶନ

ନୂଆଦିଲ୍ଲୀ : ନାସାର ଆର୍ଟେମିସ-II ମିଶନ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛି । ଏହି ମିଶନରେ ଯାଇଥିବା ୪ ଜଣ ମହାକାଶଚାରୀ ଚନ୍ଦ୍ର ପରିକ୍ରମା କରି ସଫଳତାର ସହ ପୃଥିବୀକୁ ଫେରିଛନ୍ତି । ଆମେରିକୀୟ ସମୟ ଅନୁଯାୟୀ, ୧୦ ଏପ୍ରିଲ ୨୦୨୬ ରାତି ୮:୦୭ (EDT) ଏବଂ ଭାରତୀୟ ସମୟ ୧୧ ଏପ୍ରିଲ ସକାଳ ୫:୩୭ ମିନିଟ୍‌ରେ ଏହି ମହାକାଶଯାନଟି କାଲିଫର୍ଣ୍ଣିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ସ୍ପ୍ଲାସଡାଉନ୍ କରିଛି । ଚନ୍ଦ୍ର ଯାତ୍ରାରେ ଯାଇଥିବା ୪ ଜଣ ମହାକାଶଚାରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ବର୍ତ୍ତମାନ ସେମାନଙ୍କୁ ସ୍ପେସକ୍ରାଫ୍ଟ ମଧ୍ୟରୁ ବାହାର କରିବାର ପ୍ରକ୍ରିୟା ଜାରି ରହିଛି । ଏହାପରେ ସମସ୍ତ ମହାକାଶଚାରୀଙ୍କୁ ବିଧିବଦ୍ଧ ଭାବେ ଡାକ୍ତରୀ ପରୀକ୍ଷା ପାଇଁ ପଠାଯିବ । ଏହି ମିଶନ ପ୍ରାୟ ୧୦ ଦିନ ଧରି ଚାଲିଥିଲା, ଯେଉଁଥିରେ କମାଣ୍ଡର ରିଡ୍ ୱାଇଜମ୍ୟାନ୍, ପାଇଲଟ୍ ଭିକ୍ଟର ଗ୍ଲୋଭର ଏବଂ ମିଶନ ସ୍ପେଶାଲିଷ୍ଟ କ୍ରିଷ୍ଟିନା କୋଚ୍ ଓ ଜେରେମି ହାନସେନ୍ ସାମିଲ ଥିଲେ । ଏପ୍ରିଲ ୬ ତାରିଖରେ ଏହି ଯାନ ପୃଥିବୀଠାରୁ ପ୍ରାୟ ୨,୫୨,୭୫୬ ମାଇଲ୍ ଦୂରତା ଅତିକ୍ରମ କରିଥିଲା, ଯାହା ମାନବ ଇତିହାସରେ ସବୁଠାରୁ ଦୂରତମ ମହାକାଶ ଯାତ୍ରା । ଏହା ପୂର୍ବରୁ ଆପୋଲୋ-୧୩ ମିଶନ ନାମରେ ଏହି ରେକର୍ଡ ରହିଥିଲା । ଭାରତୀୟ ସମୟ ଅନୁଯାୟୀ ଆଜି ସକାଳେ ଓରିଅନ୍ କ୍ୟାପସୁଲ୍ ସାନ୍ ଡିଏଗୋ ଉପକୂଳ ନିକଟରେ ଓହ୍ଲାଇଥିଲା । ବାୟୁମଣ୍ଡଳରେ ପ୍ରବେଶ ସମୟରେ ଯାନଟିର ବାହ୍ୟ ତାପମାତ୍ରା ପ୍ରାୟ ୫000 ଡିଗ୍ରୀ ଫାରେନ୍‌ହାଇଟ୍‌ରେ ପହଞ୍ଚିଥିଲେ ମଧ୍ୟ ଏହାର ‘ହିଟ୍ ସିଲ୍ଡ’ ମହାକାଶଚାରୀଙ୍କୁ ସୁରକ୍ଷିତ ରଖିଥିଲା । ପାରାଚୁଟ୍ ସାହାଯ୍ୟରେ ଯାନଟି ସମୁଦ୍ରରେ ସ୍ଥିର ଭାବେ ଅବତରଣ କରିବା ପରେ ନାଭି ଏବଂ ନାସା ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।