December 6, 2025 2:17 pm

ଲାଲ ହୋଇଗଲା ଚନ୍ଦ୍ର, ଆକାଶରେ ରହିଲା ୮୨ ମିନିଟ

ଭୁବନେଶ୍ୱର: ବିଶ୍ୱ ଦେଖିଲା ମହାଜାଗତିକ ଦୃଶ୍ୟ । ସଂଗଠିତ ହୋଇଛି ଦଶନ୍ଧିର ଅନ୍ୟତମ ଦୀର୍ଘପୂର୍ଣ୍ଣ ଚନ୍ଦ୍ର ଗ୍ରହଣ । ରାତି ୯ଟା ୫୭ ମିନିଟରେ ଗ୍ରହଣ ଆରମ୍ଭ ହୋଇଥିବା ବେଳେ, ରାତି ୧୧ଟା ୧ ମିନିଟରେ ପୂର୍ଣ୍ଣଗ୍ରାସ ହୋଇଛି । ରାତି ୧ଟା ୨୭ ପର୍ଯ୍ୟନ୍ତ ଇନ୍ଦୁ ପୂର୍ଣ୍ଣିମାର ଜହ୍ନ ପୃଥିବୀର ଛାଇରେ ଡାଙ୍କି ହୋଇଯାଇଥିଲା । ପ୍ରାୟ ୩ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଚନ୍ଦ୍ରଗ୍ରହଣ । ସେପଟେ ଗ୍ରହଣ ବେଳେ ଗାଢ ଲାଲ ହୋଇଯାଇଥିଲା ଚନ୍ଦ୍ର । ରାତି ୧୧ରୁ ପ୍ରାୟ ୮୨ ମିନିଟ ଧରି ଦୃଶ୍ୟମାନ ହୋଇଥିଲା ବ୍ଲଡ ମୁନ୍ । ଭାରତ ସମେତ ବିଶ୍ୱର ପ୍ରାୟ ଅଧିକାଂଶ ଅଞ୍ଚଳରେ ଖାଲି ଆଖିରେ ଦେଖାଯାଇଥିଲା । ଏସିଆ, ଆଫ୍ରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଆମେରିକାର ଅନେକ ଅଞ୍ଚଳରେ ଦୃଶ୍ୟମାନ ହୋଇଥିଲା । ଭୁବନେଶ୍ୱରରେ ଅନେକ ଲୋକ ଏହାକୁ ଟେଲିସ୍କୋପ୍ ଓ କ୍ୟାମେରାରେ କ୍ୟାପଚର କରିଥିଲେ। କିନ୍ତୁ କିଛି ଅଞ୍ଚଳରେ ରକ୍ତ ଚନ୍ଦ୍ର ଦେଖିବାକୁ ମେଘ ବାଧା ସୃଷ୍ଟି କରିଥିଲା । ଭାରତରେ ଚନ୍ଦ୍ରଗ୍ରହଣର ଧାର୍ମିକ ଓ ସାଂସ୍କୃତିକ ମହତ୍ୱ ରହିଛି । କେତେକ ସମ୍ପ୍ରଦାୟରେ ଏହାକୁ ଅଶୁଭ ଭାବେ ଦେଖାଯାଏ । ଯେଉଁଥିପାଇଁ ଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ ବା ନିଦ୍ରା ନିଷେଧ କରାଯାଇଥାଏ । କିନ୍ତୁ ବୈଜ୍ଞାନିକ ଦୃଷ୍ଟିରୁ ଏହା ଏକ ସ୍ୱାଭାବିକ ଘଟଣା ।