February 26, 2026 3:17 am

ମହିଳା ଡ୍ରାଇଭର ଚଲାଇବେ ‘ଆମ ବସ’, ଦିଆଯିବ ତାଲିମ

ଭୁବନେଶ୍ୱର: ଆମ ବସ୍‌ ଚଲାଇବେ ମହିଳା । ଏଥିପାଇଁ ସେମାନଙ୍କୁ ପୁନେରେ ତାଲିମ ଦିଆଯିବ । ଆସନ୍ତା ୩୧ ତାରିଖରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ୨୦ ଜଣ ମହିଳା ଇ-ବସ୍‌ ଚାଳନା ତାଲିମ ପାଇଁ ପୁନେ ଯାତ୍ରା କରିବେ । ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଓ ସାମ୍ପ୍ରତିକ ପରିସ୍ଥିତିରେ ଜନ ପରିବହନର ବିଶେଷ ଚାହିଦାକୁ ଲକ୍ଷ୍ୟ କରି ମହିଳା ଚାଳକଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ମଙ୍ଗଳବାର କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଅଧୀନରେ ଥିବା ‘ଆମ ବସ୍‌ ସେବା’କୁ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି । ଏଥିରେ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ନିଷ୍ପତ୍ତି ହୋଇଛି, ଖୁବ୍‌ଶୀଘ୍ର କ୍ରୁଟ୍‌ ଡିପୋ ପରିସରରେ ତାଲିମ ଅନୁଷ୍ଠାନ ନିର୍ମାଣ କରାଯିବ । ଏଠାରେ ବ୍ୟବହାରିକ, ଆଚରଣଗତ, ପ୍ରଶିକ୍ଷଣ ସହ ଟ୍ରାଫିକ ନିୟମ ଓ ଲେନ୍‌ ଡ୍ରାଇଭିଂ ଭଳି ଅନେକ ଦିଗରେ ଗୁରୁତ୍ୱ ଦିଆଯିବ । ବାରିପଦା, କେନ୍ଦୁଝର, ଅନୁଗୁଳରେ ଆମ ବସ୍‌ ଚଳାଚଳକୁ ନେଇ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଛି, ସାଧାରଣତଃ ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ବୋଲି ଅନୁମାନ କରାଯାଉଛି । ଏନେଇ ଆମ ବସ୍‌ ଚାଳନା କରୁଥିବା ସମସ୍ତ ଚାଳକଙ୍କ ମଦ୍ୟପାନ ଯାଞ୍ଚ କରିବା ବାଧ୍ୟତାମୂଳକ ହୋଇଛି ।