December 13, 2025 7:30 pm

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରଥମ ବୈଠକ ହେବ ଆସନ୍ତା ୨୨ରେ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆସନ୍ତା ୨୨ ତାରିଖ ଅପରାହ୍ଣ ୪ଟାରେ ମହାନଦୀ ଜଳ ବିବାଦର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଏଥିରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାଗୁଡ଼ିକୁ ଦୃଷ୍ଟିରେ ରଖି ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱକୁ ମନେ କରି ରାଜ୍ୟ ସରକାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଗଠିତ ଏହି କମିଟିରେ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପ୍ରତିନିଧିଙ୍କୁ ସ୍ଥାନିତ କରାଯାଇଛି। ରାଜ୍ୟ ସରକାର ଏକ ୮ ଜଣିଆ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଏହି ୮ଜଣିଆ କମିଟିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ସଦସ୍ୟ ଅଛନ୍ତି। ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।