ଭୁବନେଶ୍ୱର: ବିଶ୍ୱମୁକ୍ତି, କିଟ୍ ଓ କିସର ମିଳିତ ଅନୁକୂଲ୍ୟରେ କିଟ୍ ରେ ନବମ ତ୍ରି ଦିବସୀୟ ରାଷ୍ଟ୍ରୀୟ ସଂଗୋଷ୍ଠୀ ଓ ବହୁଭାଷୀ କାବ୍ୟ ପାଠ ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବର ବିଷୟବସ୍ତୁ ରହିଛି ବିଶ୍ୱ ଶାନ୍ତି ଏବଂ ସଦଭାବନା ୨୦୨୫-୨୬: ସ୍ଥାୟୀ ସହାବସ୍ଥାନ ଏବଂ ପଥ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଷୟବସ୍ତୁ ଉପରେ କହିଲେ ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହେଉଥିବା ବେଳେ ଶାନ୍ତି ଅପରିହାର୍ଯ୍ୟ ହୋଇପଡ଼ିଛି। ଶାନ୍ତି ବଜାୟ ରଖିବା ଦିଗରେ ସବୁ ନାଗରିକ ସଚେତନ ହେବା ସହ ଏ ଦିଗରେ ସମସ୍ତଙ୍କର ଯୋଗଦାନ ରହିବା ଉଚିତ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ନର୍ଥ ଇଷ୍ଟ ପାୱାର କର୍ପୋରେସନ୍ (ନିପକୋ) ଅର୍ଥ ନିର୍ଦ୍ଦେଶକ ବୈଦ୍ୟନାଥ ମହାରଣା କହିଲେ, ଓଡ଼ିଶାଠାରୁ ପ୍ରିୟ ଭୂମି ଅନ୍ୟ କେଉଁଠି ନାହିଁ। ନିପକୋ ମଧ୍ୟ ହିନ୍ଦୀ ଭାଷା ପାଇଁ ଅନେକ କାମ କରୁଛି। ଶାନ୍ତି ଓ ସଦ୍ଭାବନା ବର୍ତ୍ତମାନ ସବୁଠାରୁ ବଡ଼ ଆହ୍ୱାନ। ଦୁଇ ଦୁଇଟି ବିଶ୍ୱଯୁଦ୍ଧ ହୋଇଥିଲେ ମଧ୍ୟ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିନାହିଁ। ଭାରତରେ ଭିନ୍ନ ଭାଷା ଓ ପରମ୍ପରା ରହିଥିଲେ ମଧ୍ୟ ଏଠାରେ ଏଭଳି କିଛି ଶକ୍ତି ଅଛି ଯାହା ଆମକୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ପରସ୍ପର ମଧ୍ୟରେ ଭରସା ଓ ବିଶ୍ୱାସ ରହିଲେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ ଏମ୍ଏସ୍ଆଇଆର-ଆଇଏମ୍ଏମ୍ଟି ଭୁବନେଶ୍ୱରର ନିର୍ଦ୍ଦେଶକ ରାମାନୁଜ ନାରାୟଣ ଯୋଗଦେଇ କହିଲେ, ସ୍ଥାୟୀ ବିକାଶ ଦିଗରେ କିଟ୍ ଓ କିସ୍ର ପ୍ରୟାସ ବେଶ ପ୍ରଶଂସନୀୟ। ଆମମାନଙ୍କ ଭାବନା ସର୍ବଦା ସକରାତ୍ମକ ହେବା ଉଚିତ। ସକରାତ୍ମକ ଭାବନା ପାଇଁ ଭାରତ ଇତିହାସ ସୃଷ୍ଟି କରିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱମୁକ୍ତି ସମ୍ପାଦକ ପ୍ରଫେସର ଶଶାଙ୍କ ଚୂଡ଼ାମଣୀ ସ୍ୱାଗତ ଭାଷଣ ପ୍ରଦାନ କରି ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟ୍ଟଶାଣୀ ହିନ୍ଦୀ ଭାଷାର ବ୍ୟାପକ ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଲେ ସବୁସ୍ତରରେ ହିନ୍ଦୀ ଭାଷାକୁ ଗୁରୁତ୍ୱା ଦିଆଯିବା ଉଚିତ।









