ଭୁବନେଶ୍ଵର:ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପାଣିଗ୍ରାହୀ ବିଜେଡିରେ ସାମିଲ ହୋଇଛନ୍ତି। ବିଜୁ ଜନତା ଦଳରେ ଯୋଗଦାନ ନେଇ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଘୋଷଣା କରିଛନ୍ତି। ସେ ନିଜର ବହୁ ସମର୍ଥକଙ୍କ ସହିତ ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ଓ ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ଶ୍ରୀ ପାନିଗ୍ରାହୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନରେ ଖଡ଼ିଆଳ ସମେତ କଂଗ୍ରେସ ମାତ୍ର ୯ଟି ଆସନରେ ବିଜୟୀ ହୋଇଥିଲା। ଖଡ଼ିଆଲ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଟିକେଟ୍ରେ ନିର୍ବାଚନ ଲଢ଼ି ଅଧିରାଜ ପାଣିଗ୍ରାହୀ ୫୯,୩୦୮ ଖଣ୍ଡ ଭୋଟ୍ ପାଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଳ ୫୬,୪୫୧ ଖଣ୍ଡ ଭୋଟ୍ ହାତେଇଥିଲେ। ଫଳରେ ଶ୍ରୀ ପାଣିଗ୍ରାହୀ ୨,୮୫୭ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ।