July 13, 2025 3:39 am

ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ପରେ OAS ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ଵର: ବହୁ ବାଦବିବାଦ ପରେ ଶେଷରେ ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ବିଏମସି ଅତିରିକ୍ତ କମିଶନ ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣାରେ ତାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଏଥିସହ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ୫ ଜଣ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଥିଲା। ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଜଗନ୍ନାଥ ପ୍ରଧାନ ଡିସିପି କାର୍ଯ୍ୟାଳୟ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଏଠାରେ ତାଙ୍କୁ ପୋଲିସ ଗିରଫ କରିଛି। ସ୍ଵାସ୍ଥ୍ୟ ଯାଞ୍ଚ ପାଇଁ କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଥିଲା। ଏହା ପରେ ଜଗନ୍ନାଥ ପ୍ରଧାନଙ୍କୁ କୋର୍ଟରେ ହାଜର କରାଯାଇଥିଲ।। ଜାମିନ ନାମଞ୍ଜୁର ପରେ ଜଗନ୍ନାଥଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ଜଗା ପ୍ରଧାନଙ୍କ ବିରୋଧରେ ୧୧ଟି ଦଫା ଲାଗିଛି। ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ଦଫା ଗୁଡ଼ିକ ହେଲା ୩୩୩, ୧୩୨, ୧୨୧(୧), ୧୨୧(୨), ୩୫୧(୨) ୬୨, ୩୦୪, ୫୪, ୬୧(୨), ୧୮୯(୨), ୧୯୦/୩(୫)।

ଗିରଫ ପୂର୍ବରୁ ଜଗନ୍ନାଥ ପ୍ରଧାନ ଡିସିପି ଅଫିସରେ ଗଣମାଧ୍ୟମକୁ କହିଥିଲେ ଯେ, ଜୁନ ୩୦ ତାରିଖରେ ବିଏମସି ଅତିରିକ୍ତ କମିଶନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ମୁଁ ସର୍ବସାଧାରଣରେ ନିନ୍ଦା କରି ଆସିଛି। ଏମିତି ଘଟଣା ଗ୍ରହଣୀୟ ନୁହେଁ କି ଆଗକୁ ଘଟିବା ଉଚିତ୍ ନୁହେଁ। ଏହି ଘଟଣାରେ ମୋର କୌଣସି ସଂପୃକ୍ତି ନ ଥିବା ସତ୍ତ୍ବେ ବିଭିନ୍ନ ଦିଗରୁ ମୋତେ, ମୋ ଦଳ ଏବଂ ସରକାରଙ୍କୁ ବଦନାମ କରିବା ପାଇଁ ଯୋଜନାବଦ୍ଧ ଭାବେ ଉଦ୍ୟମ କରାଗଲା। ଓଏଏସ ସଂଘ ମଧ୍ୟ ଏହି ଯୋଜନାର ଶିକାର ହୋଇ ମୋ ଗିରଫଦାରୀ କରି ଆନ୍ଦୋଳନ କରି ଆସିଛି। ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀ ପରେ ଆନ୍ଦୋଳନ ରୁ ଓହରିଛନ୍ତି ଓଏଏସ ସଂଘ l ଆଜିଠାରୁ ସରକାରୀ କାର୍ଯ୍ୟରେ ଯୋଗଦେବେ ଓଏଏସ ଅଧିକାରୀ। ଏନେଇ ସୂଚନା ଦେଇଛନ୍ତି ଓଏଏସ ସଂଘ ସଭାପତି। ଓଏଏସ ଅଫିସରଙ୍କ କାର୍ଯ୍ୟବନ୍ଦ ଯୋଗୁଁ ଠପ ହୋଇଥିଲା ରାଜ୍ୟ ପ୍ରଶାସନ। ଜିଲ୍ଲା ସ୍ତରରେ ହେଉନଥିଲା ସରକାରୀ କାମ । ଧିମେଇ ଯାଇଥିଲା ସବୁ ବିକାଶମୂଳକ କାମ। ଭତ୍ତା, ପେନସନ, ଜମିବାଡି ସଂକ୍ରାନ୍ତ ସମସ୍ୟାକୁ ନେଇ ଦୈନିକ ତହସିଲ କିମ୍ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକେ ହତାଶ ହୋଇଥିଲେ l