December 6, 2025 9:16 am

ଭାରତୀୟ ଏୟାରଲାଇନ୍ସ କିଣିବେ ୧୦୦୦ରୁ ଊର୍ଦ୍ଧ୍ଵ ନୂଆ ବିମାନ 

ନୂଆଦିଲ୍ଲୀ: ଅର୍ଥନୈତିକ ସମୃଦ୍ଧି ଓ  ବିମାନ ଚଳାଚଳ  ମାନଚିତ୍ରରେ ଦେଶର ପ୍ରାୟ ସବୁ ଛୋଟ ବଡ ସହର ସ୍ଥାନପାଇଥିବାରୁ ଭାରତୀୟ ଏୟାରଲାଇନ୍ସଗୁଡ଼ିକ ବିପୁଳ ସଂଖ୍ୟକ ବିମାନ କିଣିବା ବରାଦ ଦେଇଛନ୍ତି। ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଆକାଶ ଏୟାର ମିଳିତ ଭାବେ ୧୧୨୦ଟି ବିମାନ କିଣିବେ। ୨୦୨୩ରେ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ୯୭୦ଟି ବିମାନ କିଣିବା ବରାଦ ଦେଇଥିଲେ। ଦେଶବିଦେଶର ବିଭିନ୍ନ ସ୍ଥାନକୁ ବିମାନ ସଂଯୋଗ ପ୍ରଦାନ କରିବା ଲାଗି ନୂଆ ଏୟାରଲାଇନ୍ସ ‘ଆକାଶ ଏୟାର’ ଆଉ ୧୫୦ଟି ବିମାନ କିଣିବ। ବିବାଦରେ ଥିବା ବୋଇଂର ୭୩୭ ମ୍ୟାକ୍ସ ବିମାନ କିଣିବାକୁ କଂପାନି ବରାଦ ଦେଇଛି। ୨୦୨୨ ଅଗଷ୍ଟରେ କଂପାନି ୭୨ଟି ୭୩୭ ମ୍ୟାକ୍ସ ବିମାନ କିଣିବା ବରାଦ ଦେଇଥିଲା। କଂପାନି ମୋଟ ୨୨୬ଟି ବିମାନ କିଣିବାକୁ ଯାଉଛି। ୨୦୩୨ ସୁଦ୍ଧା କଂପାନିକୁ ବିମାନଗୁଡ଼ିକ ମିଳିଯିବ ବୋଲି ଆଶା କରାଯାଉଛି।

କଂପାନି ପକ୍ଷରୁ କୁହାଯାଇଛି ଯେ ଆକାଶ ଏୟାର ହେଉଛି ବିମାନ ଚଳାଚଳ କ୍ଷେତ୍ରରେ ଏକମାତ୍ର ଭାରତୀୟ ଏୟାରଲାଇନ୍ସ ଯାହା ବ୍ୟବସାୟ ଆରମ୍ଭ କରିବାର ୧୭ ମାସ ଭିତରେ ୨୦୦ରୁ ଅଧିକ ବିମାନ କିଣିବା ବରାଦ ଦେଇଛି। ଏହା ହେଉଛି କଂପାନିର ଆର୍ଥିକ ଦୃଢ଼ତାର ପ୍ରତିଫଳନ। ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାର ଇଣ୍ଡିଆ ୪୭୦ଟି ବିମାନ କିଣିବ। ‌ଏୟାରବସ୍‌ଠାରୁ ଏହା ୨୫୦ଟି ଏବଂ ବୋଇଂରୁ ୨୨୦ଟି ବିମାନ କିଣିବାକୁ ବରାଦ ଦେଇଛି। ସେହିପରି ଇଣ୍ଡିଗୋ ୫୦୦ଟି ଅଣଓସାରିଆ କଳେବର ଥିବା ବିମାନ କିଣିବାକୁ ବରାଦ ଦେଇଛି। ମୋଟ ଉପରେ ଦେଖିବାକୁ ଗଲେ କେବଳ ଇଣ୍ଡିଗୋ ୧୦୦୦ଟି ନୂଆ ବିମାନକୁ ଅପେକ୍ଷା କରିଛି। ଏବେ ବନ୍ଦ ହୋଇଯାଇଥିବା ଏୟାରଲାଇନ୍ସ ‘ଗୋ ଫା‌ଷ୍ଟ୍‌’ ମଧ୍ୟ ୭୨ଟି ବିମାନ କିଣିବା ବରାଦ ଦେଇଥିଲା। ଯଦି ବରାଦ ଓ ମିଳିବାକୁ ଆଶା କରାଯାଉଥିବା ବିମାନ ସଂଖ୍ୟା ବିଚାରକୁ ନିଆଯାଏ, ତେବେ ଭାରତୀୟ ଏୟାରଲାଇନ୍ସଗୁଡ଼ିକ ପାଖରେ ୧୬୦୦ ନୂଆ ବିମାନ ପହଞ୍ଚିବ ବୋଲି କୁହାଯାଇପାରିବ।