ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ । ଆଫଗାନିସ୍ତାନକୁ ଟ୍ବେଣ୍ଟି-୨୦ରେ ସମ୍ପୂର୍ଣ ଚିତ୍ପଟାଙ୍ଗ କରିବା ପରେ ଭାରତୀୟ ଦଳ ଏହି ଗୁରୁତ୍ବପୂର୍ଣ ସିରିଜ ପାଇଁ ପ୍ରସ୍ତୁତ ହେଉଛି। ତେଣୁ ପୁଣି ଥରେ ଆକ୍ସନ୍ ମୁଡ୍ରେ ଅଛନ୍ତି ତାରକା ଖେଳାଳି। ଘରୋଇ ଟେଷ୍ଟ୍ ଶୃଙ୍ଖଳାରେ ଭାରତ ଗତ ୧୦ ବର୍ଷ ଧରି ଆଧିପତ୍ୟ ବିସ୍ତାର କରି ଆସୁଛି। ଶେଷ ଥର ପାଇଁ ଇଂଲଣ୍ଡ ହିଁ ଭାରତକୁ ହରାଇଥିଲା। ୨୦୧୨-୧୩ ଋତୁରେ ଇଂଲଣ୍ଡ ୨-୧ରେ ଶୃଙ୍ଖଳା ଜିତିଥିଲା। କିନ୍ତୁ ଏହାପରଠୁ ଇଂଲଣ୍ଡ ଦୁଇଥର ଭାରତକୁ ଆସିଥିଲେ ମଧ୍ୟ ଉଭୟ ଥର ୪-୦ ଓ ୩-୧ରେ ପରାଜୟର ସାମ୍ନା କରିଥିଲା। ଏପରିକି ଉକ୍ତ ପରାଜୟ ପରଠୁ ଭାରତ ଲଗାତାର ୧୬ ଘରୋଇ ଶୃଙ୍ଖଳା ଜିତିଆସୁଛି।
ଇଂଲଣ୍ଡର ମଧ୍ୟ ଭାରତରେ ରେକର୍ଡ କିଛି ଖରାପ ନାହିଁ। ୧୯୩୩-୩୪ରେ ପ୍ରଥମ ଥର ଭାରତ ଆସିଥିଲା ବେଳେ ୨-୦ରେ ଶୃଙ୍ଖଳା ଜିତିଥିଲା। ବର୍ତ୍ତମାନସୁଦ୍ଧା ଉଭୟ ଦଳଙ୍କ ମଧ୍ୟରେ ଭାରତରେ ୧୬ଟି ଶୃଙ୍ଖଳା ଆୟୋଜିତ ହୋଇଛି। ଯେଉଁଥିରୁ ୫ଟି ଇଂଲଣ୍ଡ ବିଜେତା ହୋଇଛି। ଭାରତ ୮ ଶୃଙ୍ଖଳା ଜିତିଥିଲା ବେଳେ ୩ଟି ଅମୀମାଂସିତ ରହିଛି। ୨୦୧୧ ପରଠୁ ଦୁଇ ଦଳଙ୍କ ମଧ୍ୟରେ ନିଜନିଜ ଘରେ ୭ ଶୃଙ୍ଖଳା ଖେଳାଯାଇଥିଲା ବେଳେ ଇଂଲଣ୍ଡ ୪-୨ରେ ଆଗୁଆ ରହିଛି। ଇଂଲଣ୍ଡରେ ଖେଳାଯାଇଥିବା ଶେଷ ଟେଷ୍ଟ ଶୃଙ୍ଖଳା ୨-୨ରେ ଅମୀମାଂସିତ ରହିଥିଲା। ମୋଟାମୋଟି ଭାବେ ଉଭୟ ଦଳ ମଧ୍ୟରେ ୩୫ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳାଯାଇଥିଲା ବେଳେ ଇଂଲଣ୍ଡ ୧୯-୧୧ରେ ଆଗୁଆ ରହିଛି।
୨୦୨୨ ପରଠୁ ବେନ୍ ଷ୍ଟୋକ୍ସ ଦଳର ଅଧିନାୟକ ଓ ବ୍ରେଣ୍ଡନ ମ୍ୟାକଲମ୍ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ନେବା ପରଠୁ ଇଂଲଣ୍ଡର ବାଜ୍ବଲ୍ କୌଶଳ ଠିକ୍ ଭାବରେ କାମ ଦେଇ ଆସୁଛି। ୨୦୨୨ରେ ୱେଷ୍ଟଇଣ୍ଡିଜ୍ଠୁ ୧-୦ରେ ପରାସ୍ତ ହେବା ପରଠୁ ଇଂଲଣ୍ଡ ତାହାର ଖେଳିବା ଶୈଳୀରେ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନ ଆଣିଛି। ଯାହାଫଳରେ ଗତ ୬ ଶୃଙ୍ଖଳାରେ ଇଂଲଣ୍ଡ ଅପରାଜେୟ ରହିଛି। ଯାହାମଧ୍ୟରେ ୪ ଶୃଙ୍ଖଳା ଜିତିଛି। ଏପରିକି ପାକିସ୍ତାନକୁ ୩-୦ରେ ମୂଳପୋଛ ମଧ୍ୟ କରିଛି। କିନ୍ତୁ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୫ ଟେଷ୍ଟ୍ରେ ଇଂଲଣ୍ଡର ପ୍ରକୃତ ପରୀକ୍ଷା ହେବ। ଆସନ୍ତା ୨୫ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ପ୍ରଥମ ମ୍ୟାଚ୍ରୁ ଦୁଇ ଦଳ ଅଭିଯାନ ଆରମ୍ଭ କରିବେ।