June 26, 2025 11:19 pm

ଐତିହାସିକ ପଦକ୍ଷେପ: ବିଏସକେୱାଇ-ନବୀନ କାର୍ଡର ଶୁଭାରମ୍ଭ କଲେ ନବୀନ 

କେହି ପଇସା ଅଭାବରୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବେ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେୱାଇ-ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ବିଏସକେୱାଇ ଯୋଜନାରୁ ବଞ୍ଚିତ ଲୋକଙ୍କ ପାଇଁ ଏହା ଉଦ୍ଦିଷ୍ଟ। ଏହି ନୂଆ କାର୍ଡ ଜରିଆରେ ବିଏସକେୱାଇରୁ ବଞ୍ଚିତ ଗ୍ରାମାଞ୍ଚଳର ସବୁ ପରିବାର ଏହି ନୂଆ ଯୋଜନାରେ ସାମିଲ ହେବେ। କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ବାଦ୍ ଦେଇ ଗ୍ରାମାଞ୍ଚଳର ଅନ୍ୟ ଲୋକଙ୍କୁ ଏଥିରେ ସାମିଲ କରାଯିବ। ଏହି କାର୍ଡ ଜରିଆରେ ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ବିଏସକେୱାଇରେ ପଞ୍ଜିକୃତ ହସ୍ପିଟାଲରେ ଜଟିଳ ରୋଗର ଚିକିତ୍ସା ସୁବିଧା ପାଇପାରିବେ। ବିଏସକେୱାଇ ଯୋଜନାର ଏହା ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣ । 

ଏଥିରେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ଅର୍ଥାତ ୯୦ ପ୍ରତିଶତ ଲୋକ ଉପକୃତ ହେବେ । ବିଏସକେୱାଇ କାର୍ଡ ଦ୍ୱାରା ଓଡ଼ିଶାର କୌଣସି ପରିବାର ଆର୍ଥିକ ଦୂରାବସ୍ଥା କାରଣରୁ ଜଟିଳ ରୋଗଗୁଡ଼ିକର ଚିକିତ୍ସା କ୍ଷେତ୍ରରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଭାବରେ ଘୋଷଣା କରିଛନ୍ତି । ଏଥିପାଇଁ ଚିକିତ୍ସାର ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ନିଜସ୍ୱ ପାଣ୍ଠିରୁ ବହନ କରିବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରଙ୍କ ସବୁ କାର୍ଯ୍ୟକ୍ରମ ପଛରେ ରହିଛି ଆମର ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ । ମୋର ସ୍ୱପ୍ନ ହେଉଛି ଓଡିଶାର ସବୁ ଲୋକଙ୍କୁ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା। ମୁଁ ଏମିତି ଏକ ଓଡିଶା ଚାହେଁ, ଯେଉଁଠାରେ ସ୍ୱାସ୍ଥ୍ୟସେବା ଲୋକଙ୍କ ପାଇଁ ଏକ ଅଧିକାର ଏବଂ ଏହା ସବୁ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍‌ଧ ହେଉଥିବ। ପଇସା ପାଇଁ ମୋ ରାଜ୍ୟର କେହି କେବେ ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହେଉ। ଏହି ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାକୁ ଯାଇ ଆମେ ୫ ବର୍ଷ ତଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲୁ । ଏବଂ ଏହା ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା। ଆମ ରାଜ୍ୟର ସବୁ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ପର୍ଯ୍ୟାୟକ୍ରମେ ସଂପ୍ରସାରିତ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ, ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ, ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍‌ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି । ଦ୍ୱିତୀୟ ପର୍ଯ୍ୟାୟରେ, ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାମ ଯୋଜନାରେ ଘରୋଇ ଚିକିତ୍ସାଳୟ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି।

ଏହାପୂର୍ବରୁ ରାଜ୍ୟରେ ଅର୍ଥ ଅଭାବରୁ ଯେପରି କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଓଡ଼ିଶାରେ ବିଏସକେୱାଇ ଯୋଜନା ପ୍ରଚଳନ କରାଯାଇଥିଲା। ଯାହା ଏହି ଯୋଜନାରେ ମାସିକ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ହସ୍ପିଟାଲରେ ଏବଂ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍ପିଟାଲରେ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଉଛନ୍ତି। ଏଥିପାଇଁ ସରକାର ମାସିକ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗତ ୫ ବର୍ଷରେ ବିଏସକେୱାଇ ଯୋଜନାରେ ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।