ଭୁବନେଶ୍ୱର: ଭାରତ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଉତ୍ତର ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ସେପ୍ଟେମ୍ବର ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଅବପାତରେ ପରିଣତ ହେବାର ସମ୍ଭାବନା ଅଛି ଏବଂ ୨୭ ତାରିଖ ସକାଳେ ଏହା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ସହିତ ଅନ୍ୟାନ୍ୟ ଦକ୍ଷିଣ ଓଡିଶା ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ସ୍ବତନ୍ତ୍ର ରିଲିଫ୍ କମିଶନର ଭିଡିଓ କନଫରେନିଂ ମାଧ୍ଯମରେ ୧୮ ଟି ଜିଲ୍ଲା ଯଥା: ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ ନୂଆପଡା ର ଜିଲ୍ଲାପାଳମାନଙ୍କ ସହିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ୱନ୍ଧରେ ଆଲୋଚନା କରିଛନ୍ତି । ଏହି ବୈଠକରେ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଭାରତ ପାଣିପାଗ ବିଭାଗର ନିର୍ଦ୍ଦେଶିକା, OSDMA ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ତଥା ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସତର୍କତାମୂଳକ ପଦକ୍ଷେପ ସ୍ବରୁପ ବିଶେଷ ଭାବରେ ପ୍ରଭାବିତ ହେବାକୁଥିବା ଜିଲ୍ଲା କୋରାପୁଟ ଓ ମାଲକାନାଗିରି ସହିତ ଅନ୍ୟାନ୍ୟ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ କର୍ମ କ୍ଷେତ୍ରରେ ରହି ପରିସ୍ଥିତିର ମୁକାବିଲା କରିବା ପାଇଁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଅଗ୍ନିଶମ ସେବା ଏବଂ ODRAF ଦଳଗୁଡ଼ିକୁ ନିୟୋଜିତ କରାଯିବ l









