February 26, 2026 11:03 am

ଛାତ୍ରଙ୍କ ପକେଟରୁ ବାହାରିଲା ବନ୍ଧୁକ

କେନ୍ଦ୍ରାପଡା: ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି। ଏହି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାର କୁଦାନଗରୀ ଥାନା କୋରୁଆ ସରକାରୀ ହାଇସ୍କୁଲ ଭିତରେ। ମିଳିଥିବା ଖବର ଅନୁସାରେ, ଗଣିତ କ୍ଲାସ୍ ଚାଲିଥିବା ସମୟରେ ଛାତ୍ରଟିର ପକେଟ୍ ଉଚ୍ଚା ଦେଖା ଯାଇଥିଲା ଓ ସେ ଅସ୍ୱାଭାବିକ ଭାବରେ ଅନ୍ୟମନସ୍କ ଥିବାର ଜଣାପଡ଼ିଥିଲା। ଫଳରେ ଗଣିତ ସାର ନୃସିଂହ ସ୍ବାଇଁ ଛାତ୍ରକୁ ପଚରାଉଚରା ପରେ ଚେକିଂ କରିଥିଲେ। ଏହି ସମୟରେ ଛାତ୍ରଙ୍କ ପକେଟରୁ ଏକ ବନ୍ଧୁକ ବାହାରିଥିଲା। ଏନେଇ ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା। ଏହି ଘଟଣା ଜାଣିବା ପରେ ପ୍ରଧାନ ଶିକ୍ଷକ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ ଏବଂ ଏକ ଟିମ୍ ତୁରନ୍ତ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବନ୍ଧୁକଟି ଜବତ କରାଯିବା ସହ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି। ଏପଟେ ଛାତ୍ରକୁ ହେପାଜତକୁ ନିଆଯାଇ ସୁଧାର ଗୃହକୁ ପଠାଯାଇ ଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ତେବେ ନାବାଳକ ଜଣକ କିପରି ଏବଂ କେଉଁଠାରୁ ଅସ୍ତ୍ର ପାଇଲେ ଏବଂ ଅଞ୍ଚଳରେ ଅବୈଧ ଅସ୍ତ୍ର ଯୋଗାଣ ସହ ଲିଙ୍କ୍ ଅଛି କି ନାହିଁ ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି।