February 26, 2026 1:39 am

ପୁରୁଣା ଦରକୁ ନ ଲିଭାଇ ନୂଆ MRP ଲେଖିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଦୁଇ ଥାକିଆ GST ପ୍ରଚଳନ ପରେ ବ୍ୟବସାୟୀଙ୍କୁ କେନ୍ଦ୍ର ସରକାରଙ୍କ କଡ଼ା ତାଗିଦ୍। ସଂଶୋଧିତ ଦରରେ ଗ୍ରାହକଙ୍କୁ ଯୋଗାଅ ସାମଗ୍ରୀ। ଅତ୍ୟାବଶ୍ୟକଠାରୁ ଆରମ୍ଭ କରି ଇଲେକଟ୍ରୋନିକ୍ ଆଇଟମ ଯାଏ। ସବୁଥିରେ ପୁରୁଣା ଦର ନ ଲିଭାଇ ତା ପାଖରେ ନୂଆ ଦର ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ MRP ପାଇଁ ପୁନଃ stickering କରାଯିବ। ଜିଏସଟି ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। GST ସ୍ଲାବ୍ ରେ ପରିବର୍ତ୍ତନ ପରେ ବିକ୍ରି ହୋଇ ନ ଥିବା ଏବଂ ପ୍ୟାକିଂ ହୋଇସାରିଥିବା ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟକୁ ଚିଠି ଲେଖି ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ଉକ୍ତ ନିର୍ଦେଶ ଜାରି କରିବା ପାଇଁ କୁହାଯାଇଛି। ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କିମ୍ବା ଷ୍ଟକ୍ ଶେଷ ହେବା ଯାଏ ଉକ୍ତ ନିର୍ଦେଶନାମା ଲାଗୁ ହେବ। ମୁଲ୍ୟ ସଂଶୋଧନ ସମ୍ପର୍କରେ ଉତ୍ପାଦକ, ପ୍ୟାକର୍, ଆମଦାନୀକାରୀ ଖବରକାଗଜରେ ବିଜ୍ଞାପନ ଦେବା ସହ ନିଜର ଡିଲର ଏବଂ ସ୍ଥାନୀୟ ମାପ ଓଜନ ବିଭାଗକୁ ନୋଟିସ ମାଧ୍ୟମରେ ଜଣାଇବେ ବୋଲି କୁହାଯାଇଛି ।