ବ୍ରହ୍ମପୁର: ଗଞ୍ଜାମର ଲୋକନୃତ୍ୟ ପ୍ରହଲ୍ଲାଦ ନାଟକ ଘରେ ଘରେ ପରିଚିତ ଥିବା ବେଳେ ଏହାର ମୁଖ୍ୟ କର୍ଣ୍ଣଧାର ରଘୁ ମାଷ୍ଟ୍ରେ ଓରଫ୍ ରଘୁନାଥ ଶତପଥୀ ବେଶ୍ ପରିଚିତ । ଏହି ଲୋକକଳାର ପ୍ରଚାର ପ୍ରସାର ପାଇଁ ଦିନ ରାତି ଏକ କରିଦେଇଥିଲେ ସ୍ୱର୍ଗତ ରଘୁମାଷ୍ଟ୍ରେ । ୧୪.୦୭.୧୯୪୨ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଗଉଞ୍ଜୁ ଗ୍ରାମର ଜନ୍ମିତ ସ୍ୱର୍ଗତ ଶତପଥୀ ଲୋକକଳା ପ୍ରତି ନିଜର ନିଷ୍ଠା ପାଇଁ ଘରେ ଘରେ ପରିଚିତ ଥିଲେ । ତାଙ୍କରି କଳାପ୍ରତି ଉତ୍ତ୍ସକତା ପାଇଁ ତତ୍କାଳୀନ ରାଷ୍ଟ୍ରପତିଙ୍କ ଠାରୁ ରାଷ୍ଟ୍ରୀୟ ସଙ୍ଗୀତ ନାଟକ ପୁରସ୍କାର ପାଇଥିଲେ । ତେବେ ଗତ ୨୪ ତାରିଖରେ ତାଙ୍କର ବିୟୋଗ ହେବା ପରେ ଗଞ୍ଜାମ ଜିଲ୍ଲା ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ପ୍ରଥମେ ସେ ଖଜୁରିଆ ଗ୍ରାମରେ ପ୍ରହଲ୍ଲାଦ ଭାବେ ଅଭିନୟ କରି ସୁନାମ ଅର୍ଜନ କରିବା ପରେ ପରବର୍ତ୍ତୀ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରହଲ୍ଲାଦ ଭାବେ ଅଭିନୟ କରି ପ୍ରଶଂସାର ପାତ୍ର ହୋଇଥିଲେ । ନିଜର ପରିବାର ପ୍ରତିପୋଷଣ କରିବାପାଇଁ ବ୍ରହ୍ମପୁର ମେଡ଼ିକାଲ୍ କଲେଜରେ ଚାକିରୀ କରିଥିଲେ । ତେବେ ଉକ୍ତ ଚାକିରୀ ତାଙ୍କ ମଧ୍ୟରେ ଥିବା କଳାକାରକୁ ଅଟକାଇ ପାରିନଥିଲା । ଚାକିରୀରେ ଥାଇ ମଧ୍ୟ ସେ ବଉଳଝୋଳି, ଗଉଞ୍ଜୁ, ଖଜୁରିଆ ଆଦି ଗ୍ରାମରେ ଆଖଡ଼ା ତିଆରି କରି ପ୍ରହଲ୍ଲାଦ ନାଟକର ଶିକ୍ଷା ଦେଉଥିଲେ ।

ଅତି କମ୍ ବୟସରେ ସେ ନୂଆଦିଲ୍ଲୀ, ମାଡ୍ରାସ୍ରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରହଲ୍ଲାଦ ନାଟକ ଭଳି ଲୋକନୃତ୍ୟର କିପରି ପ୍ରଚାର ପ୍ରସାର ହେବ ସେ ନେଇ ଚେଷ୍ଟା କରିଥିଲେ । ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇଂଲଣ୍ଡ, ଜାପାନ୍, କାନାଡ଼ା, ଋଷିଆ, ଥାଇଲାଣ୍ଡ, ଜର୍ମାନୀ ଆଦି ଦେଶରେ କଳାକାରମାନେ ଯୋଗଦେଇ ପ୍ରହଲ୍ଲାଦ ନାଟକ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ତେବେ ଗତ ୧୨ ତାରିଖରେ ତାଙ୍କରି ବିୟୋଗ ହୋଇଥିବା ବେଳେ ଗଞ୍ଜାମ ଲୋକକଳାର ଏକ ଯୁଗ ଅବସାନ ହୋଇଛି ବୋଲି କଳାକାରମାନେ କହିଛନ୍ତି ।