June 26, 2025 7:09 pm

ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ୨୦୨୩-୨୪ ଫେବ୍ରୁୟାରୀ ୩ ରୁ  

ଭୁବନେଶ୍ଵର: ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ପୁଣି ଫେରିଛି ଓଡିଶାକୁ। ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ୨୦୨୩-୨୪ ରାଜ୍ୟରେ ଆୟୋଜନ ହେଉଥିବାରୁ ରାଜଧାନୀ ଭୁବନେଶ୍ବର ଓ ଇସ୍ପାତ ନଗର ରାଉର‌କେଲା ଚଳଚଞ୍ଚଳ ହୋଇଛି। ଚଳିତ ମାସ ୩ରୁ ୨୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ଆୟୋଜକ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ପ୍ରତିଦ୍ବନ୍ଦ୍ବିତା କରିବେ। ମହିଳାଙ୍କ ମ୍ୟାଚ୍‌ ୩ରୁ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଏବଂ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଉର‌କେଲାରେ ଖେଳାଯିବ। ପୁରୁଷଙ୍କ ମ୍ୟାଚ୍‌ ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଏବଂ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଉର‌କେଲାରେ ଖେଳାଯିବ।

ଆଉ ଗୋଟିଏ ଦିନ ପରେ ଭୁବନେଶ୍ବରରେ ଖେଳାଯିବାକୁ ଥିବା ମହିଳା ମ୍ୟାଚ୍‌ ଲାଗି ଆୟୋଜକ ଭାରତ ସହ ଚୀନ୍‌, ଆମେରିକା, ନେଦରଲାଣ୍ଡ୍‌ସ ଓ ଅଷ୍ଟ୍ରେଲିଆ ପହଞ୍ଚି ଜୋର୍‌ଦାର୍‌ ପ୍ରସ୍ତୁତ ଚଲାଇଛନ୍ତି। ସୁରୁଖୁରୁରେ ପ୍ରତିଯୋଗିତା‌ ‌ଆୟୋଜନ ଲାଗି କ୍ରୀଡ଼ା ବିଭାଗ ବିଭିନ୍ନ ବିଭାଗ, ହକି ଇଣ୍ଡିଆ ସହ ସମନ୍ବୟ ରଖି କାର୍ଯ୍ୟ କରୁଛି। ଭାରତୀୟ ପୁରୁଷ ଦଳ ନେଦରଲାଣ୍ଡ୍‌ସ, ସ୍ପେନ୍‌, ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ସହ ମ୍ୟାଚ୍‌ ଖେଳିବ। ପ୍ରତିଯୋଗିତା ଆରମ୍ଭ ପୂର୍ବରୁ କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା କହିଛନ୍ତି ଯେ ‘‘ବିଶ୍ବକପ୍‌ ଆୟୋଜନର ଗୋଟିଏ ବର୍ଷ ପରେ ପୁଣି ଥରେ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ଉଭୟ କଳିଙ୍ଗ ଷ୍ଟାଡିୟମ୍‌ ଓ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ଆୟୋଜନ କରିବାର ସୁ‌ଯୋଗ ପାଇଥିବାରୁ ଖୁସି। ମହିଳା ଦଳ ଖାଲି ଏହି ପ୍ରତିଯୋଗିତାକୁ ପ୍ରତ୍ୟାବର୍ତ୍ତନ କରୁନି, ରାଉରକେଲାରେ ପଦାର୍ପଣ କରିବ। ପୁରୁଷ ଦଳ ପ୍ୟାରିସ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତ ଥିବାରୁ ଏହି ପ୍ରତିଯୋଗିତା ଗୁରୁତ୍ବପୂର୍ଣ୍ଣ ରହିଛି। ମୋର ବିଶ୍ବାସ ସେମାନେ ଶ୍ରେଷ୍ଠ ପ୍ରଦର୍ଶନ ଦେବେ ଏବଂ ଓଡ଼ିଶାର ହକି ପ୍ରଶଂସକଙ୍କୁ ଉତ୍ସାହିତ କରିବେ। ସମସ୍ତ ଭ୍ରମଣକାରୀ ଦଳର ଖେଳାଳି, ଅଫିସିଆଲ୍‌ ଓ ପ୍ରଶଂସକଙ୍କୁ ସ୍ବାଗତ କରୁଛି। ଓଡ଼ିଶାର ସ୍ମରଣୀୟ ଅନୁ‌ଭୂତି ନେଇ ସେମାନେ ଫେରିବେ ବୋଲି ଆଶା’’।
ସେପଟେ ଭୁବନେଶ୍ବର ଓ ରାଉରକେଲାରେ ହେବାକୁଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ହକି ପ୍ରତିଯୋଗିତା ଲାଗି ଗୁରୁବାର ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି। ପ୍ୟାରିସ ଅଲିମ୍ପିକ୍‌ ପ୍ରସ୍ତୁତି ସ୍ବରୂପ ଏହି ପ୍ରତିଯୋଗିତା ଲାଗି ଘୋଷିତ ୨୪ ଜଣିଆ ଦଳରେ ଓଡ଼ିଶାରୁ କେବଳ ଅମିତ ରୋହିଦାସ ରହିଛନ୍ତି। ହର୍ମନପ୍ରୀତ ସିଂହଙ୍କ କାନ୍ଧରେ ଏହି ଦଳର ନେତୃତ୍ବ ଭାର ରହିଥିଲା ବେଳେ ହାର୍ଦିକ ସିଂହ ଉପଅଧିନାୟକ ରହିଛନ୍ତି। ଭୁବନେଶ୍ବରରେ ଏହି ପ୍ରତିଯୋଗିତା ‌ଚଳିତ ମାସ ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ଏବଂ ରାଉରକେଲାରେ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ‌ଆୟର୍ଲାଣ୍ଡ, ନେଦରଲାଣ୍ଡ୍‌ସ, ସ୍ପେନ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଆୟୋଜକ ଭାରତ ଉଭୟ ଲେଗ୍‌ରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବ। ‌ଭାରତ ୧୦ ତାରିଖରେ ସ୍ପେନ୍‌ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ।
ଭାରତୀୟ ଦଳ: ଗୋଲି-ପିଆର୍‌ ଶ୍ରୀଜେସ, କୃଷ୍ଣ ବାହାଦୂର ପାଠକ, ଡିଫେଣ୍ଡର-ଜର୍ମନପ୍ରୀତ ସିଂହ, ସୁମିତ, ଯୁଗରାଜ ସିଂହ, ଅମିତ ରୋହିଦାସ, ହର୍ମନପ୍ରୀତ ସିଂହ (ଅଧିନାୟକ), ବରୁଣ କୁମାର, ସଂଜୟ, ବିଷ୍ଣୁକାନ୍ତ ସିଂହ, ମିଡ୍‌ଫିଲ୍ଡର- ହାର୍ଦିକ ସିଂହ (ଉପଅଧିନାୟକ), ବିବେକ ସାଗର ପ୍ରସାଦ, ମନପ୍ରୀତ ସିଂହ, ନୀଳକାନ୍ତ ଶର୍ମା, ସାମଶେର ସିଂହ, ରାଜକୁମାର ପାଲ, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ଫରୱାର୍ଡ-ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂହ, ଗୁରଜାଣ୍ଟ ସିଂହ, ସୁଖଜୀତ ସିଂହ, ଅଭିଷେକ, ଆକାଶଦୀପ ସିଂହ, ଅରାଇଜିତ ସିଂହ ହୁଣ୍ଡାଲ।