July 13, 2025 7:07 pm

ପୂର୍ବତନ ଭାଜପା ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ପରଲୋକ

ହାଇଦ୍ରାବାଦ: ପୂର୍ବତନ ଭାଜପା ବିଧାୟକ ତଥା ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଛି। ଆଜି ସକାଳେ ହାଇଦ୍ରାବାଦର ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ ନେଇଛନ୍ତି। ଦୀର୍ଘ ଦିନରୁ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କ ମୃତ୍ୟୁ ତେଲୁଗୁ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାର କଙ୍କିପାଡୁରେ ୧୯୪୨ ମସିହା ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିବା କୋଟା ଶ୍ରୀନିବାସ ରାଓ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ରଙ୍ଗମଞ୍ଚରୁ। ୧୯୭୮ ମସିହାରେ ତେଲୁଗୁ ଚଳଚ୍ଚିତ୍ର ‘ପ୍ରାଣମ ଖରିଦୁ’ ମାଧ୍ୟମରେ ସେ ଫିଲ୍ମ ଜଗତରେ ପାଦ ଦେଇଥିଲେ। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ସେ ୭୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ତେଲୁଗୁ ସହିତ ତାମିଲ, ହିନ୍ଦୀ, କନ୍ନଡ଼ ଓ ମାଲାୟାଲମ ଚଳଚ୍ଚିତ୍ର ମଧ୍ୟ ରହିଛି। ଖଳନାୟକ, ହାସ୍ୟ ଅଭିନେତା ଓ ଚରିତ୍ର ଅଭିନେତା ଭାବେ ତାଙ୍କର ବହୁମୁଖୀ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା। ଚଳଚ୍ଚିତ୍ର ଜଗତ ବ୍ୟତୀତ, ଶ୍ରୀନିବାସ ରାଓ ୧୯୯୯ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଭାଜପା ପ୍ରାର୍ଥୀ ଭାବେ ବିଜୟୱାଡ଼ା ପୂର୍ବ ର୍ନିବାଚନ ମଣ୍ଡଳୀରୁ ବିଧାୟକ ଭାବେ ର୍ନିବାଚିତ ହୋଇ ଜନସେବା କରିଥିଲେ। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, କୋଟା ଶ୍ରୀନିବାସ ରାଓଙ୍କ ବିୟୋଗ ତେଲୁଗୁ ଚଳଚ୍ଚିତ୍ର ଓ ରଙ୍ଗମଞ୍ଚ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।