April 12, 2026 10:08 pm

ଜୁଲଫିକର ଅଲ୍ଲି ଭୁଟ୍ଟୋଙ୍କ ଫାଶୀ ବେଆଇନ: ପାକିସ୍ତାନ ସୁପ୍ରିମକୋର୍ଟ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲ୍ଫିକାର ଅଲ୍ଲୀ ଭୁଟ୍ଟୋଙ୍କ ଫାଶୀ ବେଆଇନ ଥିଲା । ୪୫ ବର୍ଷ ପରେ ଏହି ରାୟ ଶୁଣାଇଛନ୍ତି ପାକିସ୍ତାନର ସୁପ୍ରିମକୋର୍ଟ । ଏହି ନିଷ୍ପତ୍ତି ନିରପେକ୍ଷ ନ୍ୟାୟ ନଥିଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି ।  ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ ଏହାକୁ ନେଇ ପାକିସ୍ତାନ ରାଜନୀତିରେ ଭୂମିକମ୍ପ ସୃଷ୍ଟି ହୋଇଛି।ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ପରେ ପାକିସ୍ତାନରେ ଏମିତି କୌଣସି ପ୍ରଧାନମନ୍ତ୍ରୀ ନାହାନ୍ତି, ଯିଏ ପୂରା ୫ ବର୍ଷ କ୍ଷମତାରେ ରହିବାରେ ସକ୍ଷମ ହୋଇଛନ୍ତି। ୧୯୭୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲ୍ଫିକାର ଅଲ୍ଲୀ ଭୁଟ୍ଟୋଙ୍କୁ ସାମରିକ ସରକାର ଫାଶୀ ଦେଇଥିଲେ ମଧ୍ୟ ତାଙ୍କ ମାମଲାର ନିରପେକ୍ଷ ଶୁଣାଣି ହୋଇନଥିଲା ବୋଲି ବୁଧବାର ଦିନ ପାକିସ୍ତାନର ସୁପ୍ରିମ୍ କୋର୍ଟ ରାୟ ଦେଇଛନ୍ତି।

ପ୍ରଧାନ ବିଚାରପତି କାଜି ଫଏଜ ଇସାଙ୍କ ଅଧ୍ୟକ୍ଷତାରେ ବସିଥିବା ୯ ଜଣିଆ ଖଣ୍ଡପୀଠ ଏହି ମତାମତ ଦେଇଛନ୍ତି । ଭୁଟ୍ଟୋଙ୍କ ଫାଶୀକୁ ବେଆଇନ ବୋଲି ପାକିସ୍ତାନ ପିପୁଲ୍ସ ପାର୍ଟି ପକ୍ଷରୁ କୁହାଯାଇଆସୁଛି । ଏହି ଫାଶୀ ସଂପର୍କରେ ସୁପ୍ରିମକୋର୍ଟଙ୍କ ମତାମତ ପାଇଁ ୨୦୧୧ରେ ତତକାଳୀନ ରାଷ୍ଟ୍ରପତି ଅସିଫ ଅଲ୍ଲି ଜର୍ଦ୍ଦାରିଙ୍କ ପକ୍ଷରୁ ଏକ ପ୍ରେସିଡେନ୍ସିଆଲ ରେଫରେନ୍ସ ସୁପ୍ରିମକୋର୍ଟରେ ଦାୟର କରାଯାଇଥିଲା । ଏବେ କୋର୍ଟଙ୍କ ମନ୍ତବ୍ୟ ଆସିବା ପରେ ପିପିପିର ନୈତିକ ବିଜୟ ହୋଇଛି । ତେବେ ଏହା ପାକ୍ ସେନା ପାଇଁ ଏକ ଧକ୍କା ସଦୃଶ ହୋଇଛି ।