June 26, 2025 9:18 am

ବିଜେଡ଼ି ମଙ୍ଗ  ଧରିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ଵର  ବେହେରା, ଲେଖାଶ୍ରୀ

ଭୁବନେଶ୍ଵର: ଆଜି ବିଜେଡ଼ି ମଙ୍ଗ ଧରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଗଣେଶ୍ଵର ବେହେରା। ଏହାକୁ ନେଇ କେନ୍ଦ୍ରାପଡି ଜିଲ୍ଲା ରାଜନୀତିରେ ବେଶ ସରଗରମ ହୋଇଛି। କାରଣ ପୂର୍ବରୁ କଂଗ୍ରେସ ନେତା ଅଂଶୁମାନ ମହାନ୍ତି, ଚିରଞ୍ଜୀବି ବିଶ୍ଵାଳ ପ୍ରମୁଖ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି।

ଗଣେଶ୍ବର କିଛିଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶଶିଭୂଷଣ ବେହେରା ଏବଂ ପ୍ରିୟବ୍ରତ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଗଣେଶ୍ବର ଶଙ୍ଖଭବନକୁ ତାଙ୍କର କର୍ମୀଙ୍କୁ ନେଇ ବିରାଟ ପଟୁଆର କରି ଆସିଥିଲେ। ଏଥିରେ ଗଣେଶ୍ବର ଜିନ୍ଦାବାଦ ଏବଂ ନବୀନ ପଟ୍ଟନାୟକ ଜିନ୍ଦାବଦ କରିଥିଲେ। ତେବେ ଗଣେଶ୍ବର ବିଜେଡିରେ ମିଶିବା ପରେ ଦଳ ତାଙ୍କୁ କେଉଁଠାରୁ ପ୍ରାର୍ଥୀ କରିବ ତାହା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସେହିଭଳି ଆଜି ବିଜେଡିରେ ସାମିଲ ହୋଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଶଙ୍ଖ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ବିଜେଡିର ପ୍ରାଥମିକ ସଦସ୍ୟ ଭାବେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର, ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଲେଖାଶ୍ରୀ ଯୋଗ ଦେବା ପରେ କହିଛନ୍ତି ଯେ, ମୁଁ ବିଜେପିରେ ଥିବା ବେଳେ ଲୋକସେବା କରିବା ପାଇଁ ଇଚ୍ଛା ଥିଲା। ହେଲେ ସେହି ଦଳରେ ତାହା ସମ୍ଭବ ହେଲା ନାହିଁ। ହେଲେ ବିଜେଡିର ଯେଉଁ ବିକାଶ ପର୍ବ ଚାଲିଛି ସେଥିରେ ମୁଁ ସାମିଲ ହେବାକୁ ନିଷ୍ପତି କରି ଦଳରେ ସାମିଲ ହେଲି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିଷ୍ପତି କଲି।

ଆଜି ସକାଳେ ଲେଖାଶ୍ରୀ ବିଜେପିରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମୁଁ ଦୀର୍ଘ ଦଶ ବର୍ଷ ଧରି ବିଜେପିରେ ରହି କାର୍ଯ୍ୟକରିଛି। ଦଳର ବିକାଶ ପାଇଁ ଯଥାସାଧ୍ୟ ଉଦ୍ୟମ କରିଛି। ହେଲେ ମୁଁ ଅନୁଭବ କଲି ଯେ ଦଳ ମୋର କୌଣସି ସହଯୋଗର ଆବଶ୍ୟକତା ମନେ କରୁ ନାହିଁ। ଶୀର୍ଷ ନେତୃତ୍ବଙ୍କର ମୁଁ ପ୍ରିୟଭାଜନ ହୋଇପାରିଲି ନାହିଁ। ସେଥିପାଇଁ ମୁଁ ଦଳରୁ ଇସ୍ତଫା ପ୍ରଦାନ କଲି ବୋଲି ସେ ଲେଖିଛନ୍ତି।

ଲେଖାଶ୍ରୀ ବିଜେପିର ଜଣେ ଟାଣୁଆ ନେତ୍ରୀ ତଥା ସେ ଉପସଭାପତି ଥିଲେ। ବିଜେପି ପାଇଁ ସେ ବିଜେଡିକୁ କଟୁ ସମାଲୋଚନା କରିଆସୁଥିଲେ।