ଭୁବନେଶ୍ୱର: ଆଜି ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଓଡିଶା ବିଦ୍ୟୁତ୍ କର୍ମଚାରୀମାନେ କଳାବ୍ୟାଜ୍ ପରିଧାନ କରିବେ। ୧୩ ତାରିଖ ଦିନ ଟିପିସିଓଡିଏଲର ୨୦ଟି ଡିଭିଜନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ୧୭ରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଧାରଣା ଚାଲୁ ରହିବ। କର୍ମଚାରୀଙ୍କଠାରୁ ଇଞ୍ଜିନିୟରଙ୍କ ପର୍ଯ୍ୟନ୍ତ ଏହି ପ୍ରତିବାଦ କାର୍ଯ୍ୟକ୍ରମକୁ ସଫଳ କରିବାକୁ ମହାମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି। କର୍ମଚାରୀଙ୍କ ଇପିଏଫ୍ ଟଙ୍କା ପଇଠ ନହେବା, ମୂଳସ୍ତରର ପଦବୀ ପୂରଣ ନ କରିବା, ଅଯଥା କର୍ମଚାରୀଙ୍କୁ ଛଟେଇ କରାଯିବା ପ୍ରତିବାଦରେ ମହାମଞ୍ଚ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତରେ ଶକ୍ତି ସଚିବ, ଶ୍ରମ ଆୟୁକ୍ତ, ବିଦ୍ୟୁତ୍ ନିୟାମକ ଆୟୋଗ ଅଧ୍ୟକ୍ଷଙ୍କୁ ପତ୍ର ଲେଖାଯାଇଥିଲେ ବି କିଛି ସୁଫଳ ମିଳିନଥିବା ମହାମଞ୍ଚର ଆବାହକ ଶରତ ଚନ୍ଦ୍ର ପ୍ରଧାନ ଜଣାଇଛନ୍ତି। ୯ଟି ସଂଘର ନେତୃବୃନ୍ଦ ଓ ବହୁ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସର୍ବସମ୍ମତିକ୍ରମେ ବିକ୍ଷୋଭ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।









