ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର କହିଛି ଯେ ସେମାନେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଚଢ଼ାଉ କରି ୩୬ ଲକ୍ଷ ଟଙ୍କା, ଏକ ବିଏମ୍ଡବ୍ଲ୍ୟୁ ଏବଂ କିଛି ଆପତ୍ତିଜନକ କାଗଜପତ୍ର ଜବତ କରିଛନ୍ତି। ଇଡି ହେମନ୍ତ ସୋରେନଙ୍କ ଦିଲ୍ଲୀସ୍ଥିତ ବାସଭବନରେ ସୋମବାର ଦିନ ଚଢ଼ାଉ କରିଥିଲା।
ସୋମବାର ଇଡିର ଏକ ଟିମ୍ ସୋରେନଙ୍କ ଦକ୍ଷିଣ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ଜମି ଠକେଇ ମାମଲାର ତଦନ୍ତରେ ପଚରାଉଚରା କରିବାକୁ ଯାଇଥିଲା। କିନ୍ତୁ ସେ ତାଙ୍କ ଘରେ ଉପସ୍ଥିତ ନଥିଲେ ଏବଂ ସେମାନେ ପ୍ରାୟ ୧୩ ଘଣ୍ଟା ଧରି ସେଠାରେ କ୍ୟାମ୍ପ କରିଥିଲେ। ସେମନେ ସୋରେନ୍ଙ୍କୁ ଅପେକ୍ଷା କରି ରହିଥିବା ବେଳେ ସେ ନିଖୋଜ ହୋଇ ଯାଇଥିଲେ।
ସୂତ୍ରରୁ ପ୍ରକାଶ ଯେ ଇଡି ଟିମ୍ ଦିନବ୍ୟାପୀ ଚାଲାଇ ଥିବା ଏହି ଅପରେସନ ରେ ନଗଦ ପ୍ରାୟ ୩୬ ଲକ୍ଷ ଟଙ୍କା, ବେନାମୀ ନାମରେ ପଞ୍ଜୀକୃତ ହରିୟାଣା ନମ୍ବର ପ୍ଲେଟ୍ ଯୁକ୍ତ ବିଏମ୍ଡବ୍ଲ୍ୟୁ ଗାଡ଼ି ଏବଂ କିଛି ଆପତ୍ତିଜନକ କାଗଜପତ୍ରକୁ ଜବତ କରିଥିଲେ।
ଅନ୍ୟପକ୍ଷରେ ୪୮ ବର୍ଷୀୟ ସୋରେନ ଇଡିକୁ ଜଣାଇଛନ୍ତି ଯେ ସେ ବୁଧବାର ଅପରାହ୍ନ ପ୍ରାୟ ୧ଟା ରେ ତାଙ୍କ ରାଞ୍ଚି ସ୍ଥିତ ବାସଭବନରେ ସେମାନଙ୍କ ସମ୍ମୁଖରେ ସାକ୍ଷ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି। ଜାନୁଆରି ୨୯ କିମ୍ବା ଜାନୁଆରି ୩୧ରେ ପଚରାଉଚରା ପାଇଁ ତାଙ୍କ ଉପଲବ୍ଧତା ନିଶ୍ଚିତ କରିବାକୁ ଇଡି ସୋରେନଙ୍କୁ ନୂଆ ସମନ୍ ଜାରି କରିଥିଲା। ପୂର୍ବରୁ ଇଡି ପକ୍ଷରୁ ଜାରି କରାଯାଇଥିବା ୯ଟି ସମନକୁ ସୋରେନ୍ ଏଡାଇ ଯାଇଥିଲେ।