February 26, 2026 12:46 pm

‘ନିଶା ମୁକ୍ତ ଭାରତ’ ପାଇଁ ରାଜଧାନୀରେ ଗଣଦୌଡ଼

ଭୁବନେଶ୍ୱର: ଆଜି ସକାଳୁ ରାଜଧାନୀରେ ‘ନିଶା ମୁକ୍ତ ଭାରତ’ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଗଣଦୌଡ଼ ଆୟୋଜନ ହୋଇଥିଲା । ଏହାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଗଣଦୌଡରେ ଦୌଡିଥିବା ଦେଖିବାକୁ ମିଳିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଗଣଦୌଡରେ ମନ୍ତ୍ରୀ, ନେତା, ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ମହତ ବାର୍ତ୍ତା ନେଇ ଏହି ଗଣଦୌଡ଼ର ଆୟୋଜନ ହୋଇଥିବା ଖବର ମିଳିଛି । ଅନ୍ୟପଟେ, ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ‘ନମୋ ଯୁବ ମାରାଥନ୍’ ଆୟୋଜିତ ହୋଇଛି । ଏହା ମାଧ୍ୟମରେ ନିଶା ଠାରୁ ଯୁବପିଢିଙ୍କୁ ଦୂରେଇ ରଖିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସାରା ଦେଶରେ ୭୫ ସହରରେ ଆୟୋଜନ ହୋଇଛି ଏହି ଗଣଦୌଡ଼ କାର୍ଯ୍ୟକ୍ରମ। ଯୁବ ପିଢ଼ିକୁ ନିଶା ଠାରୁ ଦୂରେଇ ରଖିବା , ୨୦୪୭ରେ ଯୁବକଙ୍କୁ ନେଇ ସଶକ୍ତ, ସମୃଦ୍ଧ ରାଜ୍ୟ ଓ ଦେଶ ଗଠନ ଦିଗରେ ସେମାନଙ୍କୁ ଆଗକୁ ନେବାକୁ ବାର୍ତ୍ତା ଦିଆଯାଇଛି। ଏହି ଦୌଡ଼ରେ ଯୁବପୀଢ଼ିକୁ ସହ ୭୫ ବର୍ଷୀୟା ଉର୍ମିଳା ଦାସ ମଧ୍ୟ ଦୌଡ଼ିଥିଲେ। ଏହା ସହ ଯିଏ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ତାଙ୍କୁ ୨୫ ହଜାର, ଦ୍ୱିତୀୟ ସ୍ଥାନ ୧୫ ହଜାର ଓ ତୃତୀୟ ସ୍ଥାନ ୧୦ ହଜାର ଟଙ୍କା ଚତୁର୍ଥ ସ୍ଥାନ ପାଇଁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି।