December 6, 2025 11:38 am

୨୧ ନୁହେଁ ୨୦ରେ ପାଳନ ହେବ ଦୀପାବଳି, ସ୍ପଷ୍ଟ କଲେ ମୁକ୍ତିମଣ୍ଡପ ପଣ୍ଡିତ

ପୁରୀ: ଆସନ୍ତା ୨୧ ମଙ୍ଗଳବାର ପରିବର୍ତ୍ତେ ୨୦ ତାରିଖ ସୋମବାର ଦିନ ଦୀପାବଳି ପାଳନ ହେବ । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପଣ୍ଡିତ ମହାସଭା ସ୍ପଷ୍ଟ କରିଛି । ପୂର୍ବରୁ ଦୀପାବଳି ପାଳନ ତାରିଖକୁ ନେଇ ଦ୍ୱନ୍ଦ୍ୱକୁ ଦୂର କରିଛି ମୁକ୍ତିମଣ୍ଡପ ପଣ୍ଡିତ ମହାସଭା । ଭିନ୍ନ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖ ରହିଥିଲା । ଏ ନେଇ ଆଜି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ମହାସଭାର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ସମ୍ପାଦକଙ୍କଠାରୁ ଆରମ୍ଭ କରି ସାଧାରଣ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ । ପଣ୍ଡିତ ମହାସଭା ଅନୁଯାୟୀ, ୨୦ ତାରିଖ ରବିବାର ଅପରାହ୍ନ ୩ଟା ୨୩ ମିନିଟ୍ ଠାରୁ ଅମାବାସ୍ୟା ଆରମ୍ଭ ହେଉଛି । ପରଦିନ ଅର୍ଥାତ୍ ୨୧ ତାରିଖରେ ସନ୍ଧ୍ୟା ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଅମାବାସ୍ୟା ରହୁଛି ଏବଂ ସନ୍ଧ୍ୟା ଆସୁ ନାହିଁ । ତେଣୁ ୨୦ ତାରିଖରେ ପୟା ଶ୍ରାଦ୍ଧ ଏବଂ ଦୀପାବଳି ପାଳନ ହେବ । ୨୧ ତାରିଖରେ ଦୀପାବଳି ପାଳନ ଶାସ୍ତ୍ର ବିରୋଧୀ । ଏହା ସହିତ ୨୦ରେ ସରକାରୀ ଛୁଟି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ପଣ୍ଡିତ ମହାସଭା । ଅନ୍ୟପକ୍ଷରେ ସାରା ଦେଶରେ ୨୦ ତାରିଖରେ ଦୀପାବଳି ଓ ଲକ୍ଷ୍ମୀ ପୂଜନ ପାଳନ ହେବ । ସେହିପରି ଅକ୍ଟୋବର ୧୮ରେ ଧନତେରସ ଏବଂ ୧୯ରେ ଛୋଟି ଦୀପାବଳି ।