June 26, 2025 9:13 am

ଦେବଗଡ଼କୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା କରିବାକୁ ଉଦ୍ୟମ

ଭୁବନେଶ୍ୱର: ଦେବଗଡ଼କୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ଆମର ପ୍ରାଥମିକ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ରେ କହିଛନ୍ତି। ସେ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ଦେବଗଡ଼ ଜିଲ୍ଲା ପାଇଁ ଆଜି ୩୦୦ ଶଯ୍ୟା ବିଶିଷ୍ଟ ନବ ନିର୍ମିତ ଡାକ୍ତରଖାନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍‍ଘାଟିତ ହୋଇଛି । ସୂଚନା ଥାଉକି ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୧ଟି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଏବଂ ୪ ଟି ଶିକ୍ଷା ଭିତ୍ତିଭୂମି ଉନ୍ନତିକରଣ ପ୍ରକଳ୍ପ ରହିଛି। କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ସମସ୍ତ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧାଳିଙ୍କ ପାଇଁ ୪୧ କୋଟି ୧୭ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ୱ ଦେଲେ ହିଁ ସମୃଦ୍ଧ ଓଡ଼ିଶା ଗଠନର ସ୍ଵପ୍ନ ସମ୍ଭବ ହୋଇପାରିବ। ସମସ୍ତଙ୍କୁ ନେଇ ସବୁ କ୍ଷେତ୍ରର ବିକାଶ ଜରିଆରେ ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଓ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆମ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି।