June 26, 2025 8:31 pm

ନୂଆ ବାରାକ୍ସ ସାହି ରାସ୍ତାର ଦୂରବସ୍ଥା, କର୍ତ୍ତୃପକ୍ଷ ନୀରବ 

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର: ସ୍ଥାନୀୟ ନୂଆ ବାରାକ୍ସ ସାହି ଜ୍ୟୋତି ରେସିଡ଼େଣ୍ଟି ଠାରୁ ଗାନ୍ଧୀ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନୀୟ ପରିସ୍ଥିତିରେ ଥିବା ବେଳେ ମୁଖ୍ୟ ନାଳ ଦୀର୍ଘ ବର୍ଷ ଧରି ମଇଳା ସଫା ହେଉ ନଥିବା ଏବଂ ଉକ୍ତ ରାସ୍ତା ଖାଲ ଖାମ ହୋଇ ରହିଥିବାରୁ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ସାହି ବାସିନ୍ଦାମାନେ ଘୋର ଅସୁବିଧାର ସମ୍ମୁଖୀ ହେଉଥିବା ପରିଲଖିତ ହେଉଛି । ଉକ୍ତ ସାହିରେ ପୂର୍ବତନ ବାଚସ୍ପତି ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ର, ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବହୁ ବରିଷ୍ଠ ନାଗରିକଙ୍କ ବାସଭବନ ଥିବା ସତ୍ତ୍ୱେ ବ୍ରହ୍ମପୁର ମହାନଗର ନିଗମର ଏହି ରାସ୍ତାପ୍ରତି ନଜର ପଡୁନଥିବାରୁ ସୋମବାର ସକାଳ ସାଢ଼େ ୧୦ଟା ୩୦ ରୁ ସାଢ଼େ ୧୧ଟା ମିନଟ ପର୍ଯ୍ୟନ୍ତ ବରିଷ୍ଠ ଓକିଲ ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବତନ ଉପ ବାଚସ୍ପତି ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବାସଭବନ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା । ଏହି ଧାରଣା ପ୍ରତିବାଦରେ ସାହି ବାସିନ୍ଦା ପ୍ରଶାନ୍ତ ଦାସ, କିଶୋର ଚନ୍ଦ୍ର ପଣ୍ଡା, ପ୍ରଦୀପ କୁମାର ଦାସ, ରବି ଶଙ୍କର ପାତ୍ରଙ୍କ ସମେତ ଓକିଲ ନଦିଆ ଚାନ୍ଦ, ଚନ୍ଦ୍ରଗୁପ୍ତ ପଟ୍ଟନାୟକ, ସନ୍ତୋଷ ରାଉଳ, ସୋମେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ରହି ଏକ ସପ୍ତାହ ଭିତରେ ଯଦି ଏହି ରାସ୍ତାର ତୁରନ୍ତ ମରାମତି କରାନଯାଏ ତାହା ହେଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋନ କରାଯିବ ବୋଲି ସାହି ବାସିନ୍ଦାମାନେ ଜଣାଇଛନ୍ତି ।