April 12, 2026 10:16 pm

ଆନ୍ଧ୍ରପ୍ରଦେଶର ଅମଲାପୁରମଠାରେ ଲ୍ୟାଣ୍ଡଫଲ କଲା ବାତ୍ୟା ମୋନ୍ଥା

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ‌ ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ମୋନ୍ଥା’। ମଙ୍ଗଳବାର ରାତି ପ୍ରାୟ ୭ଟାରେ ମଛଲିପଟନମ୍‌-କଳିଙ୍ଗପଟନମ୍‌ ମଧ୍ୟରେ କାକିନାଡ଼ା ଦକ୍ଷିଣ ଦିଗକୁ ନର୍ସାପୁରମ୍‌ଠାରେ ସ୍ଥଳଭାଗ ଛୁଇଁଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ ପାଖାପାଖି ୫ ଘଣ୍ଟା ଧରି ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିବାବେଳେ ୧୧୦ କିମି ପର୍ଯ୍ୟନ୍ତ ପବନ ଝଟକା ଅନୁଭୂତ ହୋଇଥିଲା। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ମଛଲିପଟନମ୍‌, କାକିନାଡ଼ା, ରାଜମହେନ୍ଦ୍ରୀ, ବାପାଟିଆ, କାଭାଲି, ଉଲାଭାପାଡୁ, ନେଲୋର ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷାପବନ ଲାଗିରହିଛି। ଆନ୍ଧ୍ର ଉପକୂଳ ଅଶାନ୍ତ ହେବା ସହ ସମୁଦ୍ରରେ ଉଚ୍ଚ ଢେଉ କୂଳ ଲଂଘିଛି। କେଉଁଠି ୨୦୦ ମିଟର ତ ଆଉ କେଉଁଠି ୫ ଶହ ମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ସମୁଦ୍ର ମାଡ଼ି ଆସିଥିଲା l ବାତ୍ୟା ପ୍ରଭାବରେ ଆନ୍ଧ୍ରରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ବୃଦ୍ଧାଙ୍କ ଘର ଉପରେ ଗଛ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଗତିପଥ ବଦଳିଯିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିନାହିଁ। ‘ମୋନ୍ଥା’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ କେତେକ ସ୍ଥାନରେ ଭୂସ୍ଖଳନ ସାଙ୍ଗକୁ ପାହାଡ଼ ଧସିଛି। ଗଜପତି, ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ‘୨୯ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ବାତ୍ୟାର କୋପ ଓଡ଼ିଶା ଉପରେ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।