April 12, 2026 12:28 pm

ମୋଦିଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ :କଂଗ୍ରେସ, ବିଜେପି ଭିତରେ ଗଣ୍ଡଗୋଳ

ବିହାର:ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିହାରର ରାଜଧାନୀ ପାଟନାରେ ଦୁଇ ଜାତୀୟ ଦଳର କର୍ମୀଙ୍କ ମଧ୍ୟରେ ହୋଇଛି ଖଣ୍ଡଯୁଦ୍ଧ। ଦଳୀୟ ପତାକା ଧରି ଦୁଇ ଦଳର କର୍ମୀ ପରସ୍ପରକୁ ଆକ୍ରମଣ କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ଆକ୍ରମଣ ଓ ପ୍ରତି ଆକ୍ରମଣରେ କିଛି କର୍ମୀଙ୍କ ମୁଣ୍ଡ ଫାଟିଛି। ସେହିପରି ପାଟନାରେ ଥିବା କଂଗ୍ରେସ କାର୍ଯ୍ୟାଳୟର ଗେଟ ମଧ୍ୟ ଭାଙ୍ଗି ଯାଇଛି। ବିହାରରେ ରାହୁଲ ଗାନ୍ଧିଙ୍କ ଭୋଟର ଅଧିକାରୀ ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କିଛି କଂଗ୍ରେସ କର୍ମୀ ଅପଶବ୍ବ ବ୍ୟବହାର କରିଥିଲେ। ଏହି ଘଟଣାରେ ପୁଲିସ୍‌ ଜଣେ କଂଗ୍ରେସ କର୍ମୀଙ୍କୁ ଗିରଫ ମଧ୍ୟ କରିଛି। ରାହୁଲ ଗାନ୍ଧି ଷ୍ଟେଜରେ ନଥିବା ବେଳେ କେହି ଜଣେ ମୋଦିଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିଲେl ବିଜେପି ଏହାକୁ ପ୍ରମୁଖ ପ୍ରସଙ୍ଗ କରି ରାହୁଲ ଗାନ୍ଧିଙ୍କ କ୍ଷମା ପ୍ରାର୍ଥନା ଦାବି କରୁଛି। ଏହାକୁ ଆଧାର କରି ଆଜି ବିଜେପି କର୍ମୀମାନେ ପାଟନାରେ ଥିବା କଂଗ୍ରେସ ଅଫସିରେ ପଶିବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପତାକା ଲଢ଼େଇ ଦେଖିବାକୁ ମିଳିଛି। ମାରପିଟ ଘଟଣା ପାଇଁ ଉଭୟ ଦଳ ପରସ୍ପରକୁ ଦାୟୀ କରିଛନ୍ତି। ବିଜେପି କର୍ମୀମାନେ କହିଛନ୍ତି ଯେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ପାଟନାରେ ଥିବା କଂଗ୍ରେସ ଅଫିସ ବାହାରେ ବିକ୍ଷୋଭ କରୁଥିଲେ। ଏହି ସମୟରେ କଂଗ୍ରେସ କର୍ମୀମାନେ ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ। ତେବେ କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ବିଜେପି କର୍ମୀ ଓ ନେତାମାନେ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସେମାନେ ବାହାରେ ରହି ଅଫିସକୁ ଟେକା ପଥର ମାଡ଼ କରିବାରୁ ଏଠାରେ ଥିବା କାର ଓ ଅନ୍ୟ ଗାଡ଼ି ଭାଙ୍ଗି ଯାଇଛି। ସେହିପରି ଦଳର କିଛି କର୍ମୀ ମଧ୍ୟ ଆହତ ହୋଇଛନ୍ତି।