December 6, 2025 1:59 pm

ରାକ୍ଷୀ ପୂର୍ଣିମାରେ ମୁଖ୍ୟମନ୍ତ୍ରୀ ଯିବେ କୋରାପୁଟ, ବାଣ୍ଟିବେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି

କୋରାପୁଟ: ଅଗଷ୍ଟ ୯ ତାରିଖ ଅର୍ଥାତ୍ ରକ୍ଷାବନ୍ଧନରେ ମହିଳା ପାଇବେ ଉପହାର। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସି ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ। କୋଟିଆ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ନୂଆରେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ବରିଷ୍ଠ ଅଧିକାରୀମାନେ ସହର ଉପକଣ୍ଠ ବାଙ୍କବିଜା ପଡ଼ିଆ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନି। ଗତକାଲି ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ମହାଜନ, ଉପଜିଲ୍ଲାପାଳ ଏ.ଶଶ୍ୟା ରେଡ୍ଡୀ, ଏସ୍‌ପି ରୋହିତ ବର୍ମା, ଏସ୍‌ଡିପିଓ ପାର୍ଥ ଜଗଦୀଶ କଶ୍ୟପ ପ୍ରମୁଖ ରେଲୱେ ଷ୍ଟେସନ ନିକଟ ବାଙ୍କବିଜା ପଡ଼ିଆ ପରିଦର୍ଶନ କରିଥିଲେ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସଭା ହୋଇପାରେ। ଅଞ୍ଚଳ ପରିଦର୍ଶନ ସହ ସୁରକ୍ଷା, ଟ୍ରାଫିକ୍‌ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ପ୍ରସ୍ତୁତି ବାବଦରେ ଆଲୋଚନା କରିଥିଲେ।