June 26, 2025 2:48 pm

ନବୀନ ଓଡିଶା ମୁଖ୍ୟ କାର୍ତିକ ପାଣ୍ଡିଆନଙ୍କ ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ନବୀନ ଓଡିଶା ମୁଖ୍ୟ ଶ୍ରୀ କାର୍ତିକ  ପାଣ୍ଡିଆନ୍ ଆଜି ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଗସ୍ତ କରିଥିଲେ । ପ୍ରଥମେ ଖୋର୍ଦ୍ଧା ହାବେଳି ପଡ଼ିଆଠାରେ ଆୟୋଜିତ ନୂଆ ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ସେ କହିଥିଲେ, କଠିନ ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର । ଏହାର କୌଣସି ବିକଳ୍ପ ନାହିଁ । ଏହି ପରିପ୍ରେକ୍ଷୀରେ ତାଙ୍କର ଜଣେ ଆଇଏଏସ୍ ମହିଳା ବ୍ୟାଚମେଣ୍ଟ ଙ୍କ ସଫଳତା ଓ ସଂଘର୍ଷର କାହାଣୀ କହିଥିଲେ । ରାଜସ୍ଥାନର ଏକ ନିପଟ ମଫସଲରୁ ଆସିଥିବା ଏହି ମହିଳା କଲେଜ ନ ଯାଇ ବି କଠିନ ପରିଶ୍ରମ ବଳରେ ଆଇଏଏସ୍ ଟପ୍ପର୍ ହୋଇଥିଲେ ।

ଏହାପରେ ସେ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁରର ମା ଭଗବତୀଙ୍କ ପୀଠରେ ପହଞ୍ଚି ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ମା ଭଗବତୀଙ୍କ ଦର୍ଶନ ସହ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ୫-ଟି ଅଧ୍ୟକ୍ଷଙ୍କୁ ଭଗବତୀ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସ୍ୱାଗତ କରିଥିଲେ । ସେଠାରୁ ତାଙ୍କୁ ଏକ ବିରାଟ ପଟୁଆରରେ ପଲଟଣ ପଡ଼ିଆ ପର୍ଯ୍ୟନ୍ତ ନିଆଯାଇଥିଲା । ସେଠାରେ ସାଂସଦ ଶ୍ରୀ ମଙ୍ଗରାଜଙ୍କ ସମେତ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା ପ୍ରମୁଖ ସ୍ୱାଗତ କରିଥିଲେ । ଶ୍ରୀ ପାଣ୍ଡିଆନଙ୍କୁ ପାଇକଙ୍କ ପ୍ରତୀକ ଏକ ଢ଼ାଲ, ଖଣ୍ଡା ଓ ଶିରୋପା ଦେଇଥିଲେ ଶ୍ରୀ ମଙ୍ଗରାଜ ।

ସେଠାରେ ଆୟୋଜିତ ସାଧାରଣ ସଭାରେ ଶ୍ରୀ ପାଣ୍ଡିଆନ ଚିଲିକା ନିର୍ବାଚନମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହିସାବ ଦେଇଥିଲେ । ଗତ ୪ ମାସରେ ଏହି ନିର୍ବାଚନମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ୯୦ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ମା ଭଗବତୀଙ୍କ ମନ୍ଦିରର ରୂପାନ୍ତରଣ ଲାଗି ୩୩ କୋଟି, ଚନ୍ଦନେଶ୍ୱର ଶିବ ମନ୍ଦିରର ଉନ୍ନତି ପାଇଁ ଦେଢ଼କୋଟି, ବାଣପୁରର ଗୋଦାବରୀଶ କଲେଜର ଉନ୍ନତି ପାଇଁ ୨ କୋଟି ୨୫ ଲକ୍ଷ, ବାଲୁଗାଁ କଲେଜର ଉନ୍ନତି ପାଇଁ ଦେଢ଼କୋଟି ଅନୁଦାନ ଦିଆଯାଇଛି । ବାଣପୁର ଏନଏସି ଅନ୍ତର୍ଭୁକ୍ତ ଡ୍ରେନ ଓ ରାସ୍ତା ପାଇଁ ୨୬ କୋଟି ଟଙ୍କାର ଆକଳନ ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ ।

ହାପରେ ନୟାଗଡ଼ର ରଣପୁରଠାରେ ଆୟୋଜିତ ସଭାରେ ସେ ନିର୍ବାଚନମଣ୍ଡଳୀ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ହିସାବ ଦେସଇଥିଲେ । ଗତ ୪ ମାସରେ ମୁଖ୍ୟମନ୍ତ୍ରୀ ଏଠାକୁ ୮୦ କୋଟଇ ଟଙ୍କା ମଂଜୁର କରିଛନ୍ତି । ୧୧୫ଟି ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ପାଇଁ ୧୦ କୋଟି ୧୫ ଲକ୍ଷ, ରଣପୁର ଶ୍ରୀଜଗନ୍ନାଥ ମନ୍ଦିର ଲାଗି ୪ କୋଟି ୬୦ ଲକ୍ଷ, ମଣିନାଗ ମନ୍ଦିର ରୂପାନ୍ତରଣ ପାଇଁ ୩ କୋଟି, ତଳ ମଣିନାଗ ମନ୍ଦିର ପାଇଁ ୨ କୋଟି, ଶରଣକୂଳର ଲଢ଼ୁବାବା ମନ୍ଦିର ପାଇଁ ୫ କୋଟି, ରାଜସୁନାଖଳା କଲେଜର ରୂପାନ୍ତରଣ ପାଇଁ ୧ କୋଟି ଏବଂ ରଣପୁର ଡିଗ୍ରୀ କଲେଜ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଥିବା କହିଥିଲେ ।