ନୂଆଦିଲ୍ଲୀ: ମୁମ୍ବାଇ-ଅହମ୍ମଦାବାଦ ବୁଲେଟ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲୁଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଦିନ ମୁମ୍ବାଇ-ଅହମ୍ମଦାବାଦ ଟ୍ରେନ୍ କରିଡରର ଏକ ଚମକାଇଲା ଭଳି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଏହି ମହତ୍ୱାକାଂକ୍ଷୀ ଟ୍ରେନ୍ ପ୍ରକଳ୍ପର କିଛି ଆଶ୍ଚର୍ଯ୍ୟଜନକ, ଅତ୍ୟାଧୁନିକ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରାଯାଇଛି।
ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ୫୦୮ କିଲୋମିଟର ଦୂରତା ଅତିକ୍ରମ କରୁଥିବା ଏହି ବୁଲେଟ୍ ଟ୍ରେନ୍ ଘଣ୍ଟାପ୍ରତି ସର୍ବାଧିକ ୩୨୦ କିଲୋମିଟର ବେଗରେ ଗତି କରିବ ଏବଂ ଯାତ୍ରା ସମୟକୁ ମାତ୍ର ୨ ଘଣ୍ଟାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି। ବୁଲେଟ୍ ଟ୍ରେନ୍ ମାର୍ଗ ପାଇଁ ୨୪ଟି ନଦୀ ପୋଲ ଓ ୨୮ଟି ଇସ୍ପାତ ସେତୁ ନିର୍ମାଣ କରାଯାଉଛି।
ଭିଡିଓରେ ଏହି ପ୍ରୋଜେକ୍ଟକୁ ‘ବିଶ୍ୱସ୍ତରୀୟ ଇଞ୍ଜିନିୟରିଂର ଏକ ଚମତ୍କାର ଏବଂ ଭାରତର ଭବିଷ୍ୟତ’ ବୋଲି ବର୍ଣ୍ଣନା କରାଯାଇଛି। ଭିଡିଓ ସେୟାର କରି ରେଳ ମନ୍ତ୍ରୀ ବୈଷ୍ଣବ ଲେଖିଛନ୍ତି, ‘ଆମେ ସ୍ୱପ୍ନ ନୁହେଁ ବାସ୍ତବତା ବୁଣିଥାଉ। ମୋଦୀ ୩.୦ରେ ବୁଲେଟ୍ ଟ୍ରେନ୍ ପାଇଁ ପ୍ରସ୍ତୁତ ରୁହନ୍ତୁ!’
ନଭେମ୍ବର ୨୦୨୧ରେ କାମ ଆରମ୍ଭ ହେବା ପରଠାରୁ ମୁମ୍ବାଇ-ଅହମ୍ମଦାବାଦ କରିଡରରେ କ୍ରମାଗତ ଅଗ୍ରଗତି ହେଉଛି। ଗତ ବର୍ଷ ରେଳମନ୍ତ୍ରୀ ଘୋଷଣା କରିଥିଲେ ଯେ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ସେକ୍ସନ- ଗୁଜରାଟର ବିଲିମୋରା ଏବଂ ସୁରଟ ମଧ୍ୟରେ ୫୦ କିଲୋମିଟର ରାସ୍ତା- ଅଗଷ୍ଟ ୨୦୨୬ରେ ଶେଷ ହେବ।
ରେଳବାଇ ୩୫ଟି ବୁଲେଟ୍ ଟ୍ରେନ୍ ଚଳାଚଳ ଆରମ୍ଭ କରିବା ସହ ଦୈନିକ ପ୍ରାୟ ୭୦ଟି ଟ୍ରିପ୍ କରିବ। ୨୦୫୦ ସୁଦ୍ଧା ଏହି ସଂଖ୍ୟା ୧୦୫କୁ ବୃଦ୍ଧି କରିବାକୁ ଯୋଜନା ରହିଛି। ଚଳାଚଳ ଆରମ୍ଭ ହେଲେ ପ୍ରତିବର୍ଷ ପ୍ରାୟ ୧.୬ କୋଟି ଲୋକ ଟ୍ରେନରେ ଯାତ୍ରା କରିବେ ବୋଲି ଆଶା କରାଯାଉଛି।
ଏଥିପାଇଁ ଆନୁମାନିକ ୧.୦୮ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ କେନ୍ଦ୍ର ସରକାର ୧୦,୦୦୦ କୋଟି ଟଙ୍କା ଏବଂ ଗୁଜରାଟ ଓ ମହାରାଷ୍ଟ୍ର ସରକାର ୫୦୦୦ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିବେ। ଅବଶିଷ୍ଟ ପାଣ୍ଠି ଜାପାନରୁ ଋଣ ମାଧ୍ୟମରେ ସର୍ବନିମ୍ନ ୦.୧ ପ୍ରତିଶତ ସୁଧ ହାରରେ ଆସିବ।