February 26, 2026 12:14 am

ବିଧାନସଭା ବଜେଟରେ କକ୍ଷ ତ୍ୟାଗ କଲେ ବିରୋଧୀ: କଂଗ୍ରେସ ଓ ବିଜେଡି

ଭୁବନେଶ୍ୱର: ଆଜି ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହୋଇଥିଲା ଓଡିଶା ବିଧାନସଭା ବଜେଟ୍ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି ବିରୋଧୀ ବିଜେଡି ଏବଂ କଂଗ୍ରେସ। ଅପରପକ୍ଷେ ଆସନ ବଦଳିଥିବା ନିଲମ୍ବିତ ବିଜେଡି ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ଗୃହରେ ଉପସ୍ଥିତ ରହିଥିଲେ। ତେବେ ଆଜି ବିଧାନସଭା ଆରମ୍ଭରେ ବିଜେଡିରୁ ନିଲମ୍ବିତ ହୋଇଥିବା ଏହି ଦୁଇ ନେତା ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ଠାରୁ ଅଲଗା ବିଧାନସଭାରେ ଅନ୍ୟତ୍ର ବସିଥିବା ଦେଖିବାକୁ ମିଳିଛି। ବିଜେଡିରୁ ନିଲମ୍ବନ ପରେ ଉଭୟଙ୍କ ବିଧାନସଭା ସିଟ୍ ପରିବର୍ତ୍ତନ କରାଯାଇଛି। ଅରବିନ୍ଦଙ୍କ ସ୍ଥାନ G19 ରୁ F19 ହୋଇଥିବା ବେଳେ ସନାତନଙ୍କ F14ରୁ F21 ସିଟ୍ ବଦଳିଯାଇଛି। ଅରବିନ୍ଦ ମହାପାତ୍ରଙ୍କ ସିଟ୍‌ ସୁନିଲ ମହାନ୍ତିଙ୍କ ସହ ପରିବର୍ତ୍ତନ ହୋଇଛି। ଯେତେବେଳେ କି ମାଧବ ଧଡ଼ାଙ୍କ ସିଟ୍‌ ସହ ପରିବର୍ତ୍ତନ ହୋଇଛି ସନାତନ ମହାକୁଡ଼ଙ୍କ ସିଟ୍‌।
ରାଜ୍ୟପାଳ ହରିବାବୁ କମ୍ଭମପତି ନିଜ ଅଭିଭାଷଣରେ ସମୃଦ୍ଧ ଓଡିଶା ଗଠନ ପାଇଁ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵରେ କେନ୍ଦ୍ରରୁ ଓଡିଶାକୁ ବଡ ପ୍ରକଳ୍ପ ମିଳୁଛି । ୨୦୩୬ ମସିହାରେ ଓଡିଶା ଗଠନକୁ ଶହେ ବର୍ଷ ପୂରିବ । ଓଡିଶା ଆତ୍ମନିର୍ଭର ଭାରତରେ ସେମି କଣ୍ଡକ୍ଟର ହବ୍ ହେବ । ୨୦୩୬ ଓ ୨୦୪୭ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି। ୨୦୪୭ ସୁଦ୍ଧା ମୁଣ୍ଡ ପିଛା ଆୟ ୩୨ ଲକ୍ଷ କରିବାକୁ ଯୋଜନା କରାଯାଇଛି। ସରକାର ସହରୀ ବିକାଶ ଯୋଜନାକୁ ଗୁରୁତ୍ଵ ଦେଉଛନ୍ତି। ବହୁମୁଖୀ ଦାରିଦ୍ର୍ୟକୁ ୫ ପ୍ରତିଶତକୁ ହ୍ରାସ କରିବା, ମହିଳା ଶ୍ରମ ଶକ୍ତିକୁ ୭୦ ପ୍ରତିଶତକୁ ବୃଦ୍ଧି କରିବା, ରାଜ୍ୟରୁ ଅପପୃଷ୍ଟି ଓ ରକ୍ତହୀନତା ଦୂର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସେହିପରି ଭିତ୍ତିଭୂମି ସୁଦୃଢ କରିବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି ମତ ରଖିଥିଲେ ରାଜ୍ୟପାଳ। ଏହାପରେ ଗୁରୁବାର ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ ବଜେଟ ଉପସ୍ଥାପନ କରିବେ । ଚଳିତ ବିଧାନସଭା ଦୁଇଟି ପର୍ଯ୍ୟାୟରେ ହୋଇ ଏପ୍ରିଲ ୯ରେ ଶେଷ ହେବ। ତେଣୁ ସବୁ ଦୃଷ୍ଟିରୁ ଦେଖିଲେ ଚଳିତ ଅଧିବେଶନ ଉଭୟ ଶାସକ, ବିରୋଧୀ ଏବଂ ଜନସାଧାରଣଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି ।