April 12, 2026 12:22 pm

ରାଜ୍ୟରେ ଜାନୁଆରୀ ୬ରୁ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଥିବା ବେଳେ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ଜାନୁଆରୀ ୬ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହେବ। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ପ୍ରମୁଖ ସ୍ଥାନମାନଙ୍କରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଏହି ଗଣନା କାର୍ଯ୍ୟ କରାଯିବ। ଏ ବର୍ଷ ପକ୍ଷୀ ଗଣନା କାର୍ୟ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ସହ ପର୍ଯ୍ୟଟନ ବିଭାଗ ମଧ୍ୟ ସହଯୋଗ କରିବ। ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଜଳବାୟୁ ପରିବର୍ତ୍ତନ ପକ୍ଷୀମାନଙ୍କ ପାଇଁ ବେଶ୍ ଅନୁକୂଳ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ପକ୍ଷୀମାନଙ୍କ ସଂରକ୍ଷଣ ଏବଂ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିଭିନ୍ନ ସ୍ଥାନରେ ଆଧୁନିକ ୱାଚ୍ ଟାୱାର ଏବଂ ଏନକ୍ଲୋଜର ନିର୍ମାଣ କରାଯିବ। ଏହାଦ୍ୱାରା ପର୍ଯ୍ୟଟକମାନେ ସୁବିଧାରେ ପକ୍ଷୀ ଦେଖିପାରିବେ।