February 26, 2026 12:32 pm

ବିହାରରେ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟ

ବିହାର: ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ମୋଟ ୧୩୧୪ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଥିଲେ। ସେମାନଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଯାଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୬୦.୧୩ ପ୍ରତିଶତ ମତଦାନ ହୋଇଥିଲା।ଗୁରୁବାର ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିବାବେଳେ କେତେକ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା। ଲଖିସରାଇରେ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡକୁ ଆକ୍ରମଣ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସମୀକ୍ଷା କରୁଥିବା ସମୟରେ ବହୁ ସଂଖ୍ୟକ ଆରଜେଡି ସମର୍ଥକ ପହଞ୍ଚି ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ପଥର, ଚପଲ ଏବଂ ଗୋବର ଫିଙ୍ଗିଥିଲେ।ଘଟଣାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିହ୍ନା ଜିଲ୍ଲା ପୋଲିସକୁ ଦାୟୀକରି “କାପୁରୁଷ ଏବଂ ଦୁର୍ବଳ” ବୋଲି କହି କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ମଧ୍ୟ ଦାବି କରିଥିଲେ । ଘଟଣାକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ କାହାକୁ ଆଇନ ଶୃଙ୍ଖଳା ଭଙ୍ଗ କରିବାକୁ ଦିଆଯିବ ନାହିଁ ଏବଂ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିହାର ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।