ଭୁବନେଶ୍ୱର: ସପ୍ତଦଶ ଓଡ଼ିଶା ବିଧାନସଭାର ପଞ୍ଚମ ଅଧିବେଶନ(ଶୀତ ଅଧିବେଶନ) ଆସନ୍ତା ୨୭ତାରିଖରୁ ଆରମ୍ଭ ହେବ । ଏହି ୨୯ଦିନିଆ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଅଭିଭାଷଣ ରଖିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ବିଧାନସଭା ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି । ଓଡ଼ିଶା ବିଧାନସଭାରେ ପ୍ରଥମ ଥର ବିଧାନସଭା ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିବେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ବିଧାନସଭା ଗସ୍ତକୁ ଦୃଷ୍ଟିରେ ରଖି ସେ ରାଜ୍ୟର ମନ୍ତ୍ରୀ ଥିବାବେଳେ ଯେଉଁ ଚାମ୍ବରରେ ବସୁଥିଲେ ତାକୁ ମଧ୍ୟ ସ୍ୱତନ୍ତ୍ର ଭାବେ ସାଜସଜ୍ଜା କରାଯାଉଥିବା ଜଣାପଡ଼ିଛି । ଏହି ୨୯ଦିନିଆ ଅଧିବେଶନର ଦ୍ୱିତୀୟ ଦିନରେ ଅର୍ଥାତ୍ ନଭେମ୍ବର ୨୮ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ । ଡିସେମ୍ବର ୮ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି। ଡିସେମ୍ବର ୪, ୫ ଓ ୬ ତାରିଖରେ ଏହି ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ଅନୁଦାନ ଦାବିଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ଓ ଭୋଟ୍ ଗ୍ରହଣ କରାଯିବ । ଡିସେମ୍ବର ୮ ତାରିଖରେ ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିବରଣୀ-୨୦୨୫-୨୬ର ବିନିଯୋଗ ବିଲ୍ ପାରିତ ହେବାର କାର୍ଯ୍ୟକ୍ରମ ରହିଛି ।ଚଳିତ ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏ ଚାଲିବ । ଏଥିରେ ୨୯ଟି କାର୍ଯ୍ୟ ଦିବସ ରହିଥିବାବେଳେ ୬ଟି ଛୁଟି ଦିନ ରହିଛି । ବଡ଼ ଦିନ ପାଇଁ ଗୋଟିଏ ଛୁଟି ରହିଥିବାବେଳେ ଅନ୍ୟ ସମସ୍ତ ଦିନମାନଙ୍କର ରବିବାର ଯୋଗୁଁ ଗୃହ କାର୍ଯ୍ୟ ବନ୍ଦ ରହିବ ।









