February 26, 2026 3:43 am

ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର

ଗଞ୍ଜାମ: ବାଲି ବୋଝେଇ ଗାଡ଼ି ଛାଡିବା ପାଇଁ ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲାର ବେଲାଗୁଣ୍ଠାର ଅତିରିକ୍ତ ତହସିଲଦାର କବିରାଜ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଅତିରିକ୍ତ ତହସିଲଦାରଙ୍କ ସମେତ ଆଉ ୩ ଜଣ ରାଜସ୍ୱ ନିରୀକ୍ଷକଙ୍କୁ ଭିଜିଲାନ୍ସ ଟିମ୍ ତଦନ୍ତ ପାଇଁ ବ୍ରହ୍ମପୁର ନେଇଛି। ଭିଜିଲାନ୍ସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଅତିରିକ୍ତ ତହସିଲଦାର ଫେବୃଆରୀ ୫ ତାରିଖରେ ଟ୍ରାକ୍ଟରଟିକୁ ରେକର୍ଡରେ ନ ଆଣି ଅଟକ ରଖିଥିଲେ। ନୂଆଗାଁ ନଦୀରୁ ଧୂମୁଛାଇର ଜଣେ ଟ୍ରାକ୍ଟର ମାଲିକ ବେଆଇନ୍ ଭାବେ ବାଲି ଉଠାଇ ନେଉଥିଲେ। ରାଜସ୍ୱ ବିଭାଗ କର୍ମଚାରୀମାନେ ଉକ୍ତ ଟ୍ରାକ୍ଟରକୁ ଜବତ କରିବା ସହିତ ୩୦ ହଜାର ଟଙ୍କା ଜରିମାନା ପକାଇଥିଲେ। ଏହାପରେ କିଛି କର୍ମଚାରୀ ଜରିମାନା ଅର୍ଥ ଠାରୁ ଅଧିକ ଟଙ୍କା ଟ୍ରାକ୍ଟର ମାଲିକଙ୍କୁ ଦାବି କରିଥିଲେ। ଫଳରେ ଟ୍ରାକ୍ଟର ମାଲିକ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ସହ ଯୋଗାଯୋଗ କରିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଟ୍ରାକ୍ଟର ମାଲିକ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ରସିଦଠାରୁ ଅଧିକ ଟଙ୍କା ଦେଇଥିଲେ । ଏହି ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଜଣେ କର୍ମଚାରୀଙ୍କ ଠାରୁ ଉକ୍ତ ଟଙ୍କା ଜବତ କରିଥିଲେ।