April 12, 2026 2:03 am

ମାଆ କୋଳରୁ ଶିଶୁପୁତ୍ର ଚୋରି ଘଟଣା

ଭୁବନେଶ୍ୱର: ଖୋର୍ଦ୍ଧା ରେଳ ଡିଭିଜନ ନିରାକାରପୁର ରେଳ ଷ୍ଟେସନ ପରିସରରୁ ୪ମାସର ଶିଶୁପୁତ୍ର ଚୋରି ଅଭିଯୋଗ । ରେଳ ଷ୍ଟେସନରେ ବାପା-ମା’ ଓ ଶିଶୁ ପୁତ୍ର ଶୋଇଥିବା ବେଳେ କେହି ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ନିରାକାରପୁର ରେଳବାଇ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ନେଇ ରେଳବାଇ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ନିରାକାରପୁର ରେଳ ଷ୍ଟେସନର ପ୍ଲାଟଫର୍ମରେ ରାତ୍ରିଯାପନ କରିଥିଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ କଳାମାଟିଆ ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ ଓ ତାଙ୍କ ପତ୍ନୀ । ସେମାନଙ୍କ ସାଙ୍ଗରେ ଥିଲା ତାଙ୍କର ୪ ମାସର ଶିଶୁ ପୁତ୍ର । ରାତି ପ୍ରାୟ ୨ଟା ୩ଟାରେ ଯେତେବେଳେ ଦମ୍ପତି ଦେଖନ୍ତି ତାଙ୍କ ପାଖରେ ଥିବା ଶିଶୁ ପୁତ୍ର ଚୋରି ହୋଇଯାଇଛି । ବହୁ ଖୋଜାଖୋଜି ପରେ ମଧ୍ୟ ସେ ଶିଶୁ ପୁତ୍ରକୁ ନପାଇବା ପରେ ରେଳବାଇ ପୋଲିସର ସହଯୋଗ ଲୋଡିଥିଲେ । ସେତେବେଳେ କେହି ସହଯୋଗ କରିନଥିଲେ । ବୁଧବାର ସକାଳ ସମୟରେ ଦମ୍ପତି ଶିଶୁ ପୁତ୍ରକୁ ଖୋଜାଖୋଜି କରୁଥିଲେ । ସେମାନଙ୍କ ନିକଟରେ ସମାଜସେବୀ ପହଞ୍ଚି ଘଟଣା ସମ୍ପର୍କରେ ଶୁଣିବା ସହିତ ନିରାକାରପୁର ରେଳବାଇ ପୋଲିସ ଫାଣ୍ଡି ସହିତ ଯୋଗାଯୋଗ କରି ଦମ୍ପତିଙ୍କ ଦ୍ୱାରା ଲିଖିତ ଅଭିଯୋଗ କରିଥିଲେ । ନିରାକାରପୁର ରେଳ ଷ୍ଟେସନରୁ ଏଭଳି ଶିଶୁପୁତ୍ର ଚୋରି ଘଟଣା ସ୍ଥାନୀୟ ଅଞ୍ଚଳ ପାଇଁ ବିରଳ ଓ ହୃଦୟ ବିଦାରକ । ତେଣୁ ତୁରନ୍ତ ରେଳବାଇ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଚୋରି ଶିଶୁ ପୁତ୍ରକୁ ଉଦ୍ଧାର କରାଯାଉ ବୋଲି ଯୁବଗୋଷ୍ଠୀ ଦାବି କରିଛନ୍ତି ।