February 26, 2026 3:05 pm

ପ୍ରବଳ ବର୍ଷା ଯୋଗୁ ବୈଷ୍ଣୋ ଦେବୀ ରାସ୍ତା ରେ ଭୂସ୍ଖଳନ: ୫ ମୃତ

ଜମ୍ମୁ: ଭୂସ୍ଖଳନ ଯୋଗୁ ଜମ୍ମୁ-କଶ୍ମୀରର ରୈସି ଜିଲ୍ଲାରୁ ଆରମ୍ଭ ହେଉଥିବା ବୈଷ୍ଣୋ ଦେବୀ ଯାତ୍ରାକୁ ଅସ୍ଥାୟୀ ରୂପେ ବନ୍ଦ କରି ଦିଆଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଇନ୍ଦରପ୍ରସ୍ଥ ଭୋଜନାଳୟ ନିକଟରେ ମଙ୍ଗଳ ବାର ଦିନ ବଡ଼ଧରଣର ଭୂସ୍ଖଳନ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୪ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଆର୍ମି ଠାରୁ ଆରମ୍ଭ କରି ସ୍ଥାନୀୟ ଅଧିକାରୀମାନେ ନିୟୋଜିତ ହୋଇଛନ୍ତି। ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ଏହାପୂର୍ବରୁ ଡୋଡା ଜିଲ୍ଲାରେ ବାଦଲ ଫଟା ବର୍ଷା ପରେ ଆସିଥିବା ଅଚାନକ ବନ୍ୟା ୪ ଜଣଙ୍କ ଜୀବନ ନେଇଥିଲା। ଭୂସ୍ଖଳନ ଓ ବାଦଲ ଫଟା ବର୍ଷା ଯୋଗୁ ଉପତ୍ୟକାରେ ୯ ଜଣଙ୍କ ମୃତ୍ୟୁ ହେଲାଣି। ସେହିପରି ଅଚାନକ ବନ୍ୟାରେ ୧୦ଟି ଘର ଭାସି ଯାଇଛି। ପ୍ରବଳ ବର୍ଷା ଯୋଗୁ ଫାଇବର କେବୁଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଯାହା ଫଳରେ ମୋବାଇଲ ନେଟୱର୍କ ଠିକ ଭାବେ କାମ କରୁ ନାହିଁ। ପ୍ରବଳ ବର୍ଷା ଯୋଗୁ ନର୍ଦ୍ଦନ ରେଳବାଇ ୧୮ଟି ଟ୍ରେନକୁ ବାତିଲ କରିଛି। ଉପତ୍ୟକାର ଅଧିକାଂଶ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ଭଳି ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। କିଛି ସ୍ଥାନରେ ରାସ୍ତାଘାଟ ଧୋଇ ଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ଜଳାଶୟରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି।