ବିଶ୍ୱରଞ୍ଜନ ପଟ୍ଟନାୟକ
ଅନୁଗୁଳ: ଗତ ତିନି ଦିନଧରି ଅନୁଗୁଳ ଷ୍ଟାଡିୟମ୍ ରେ ଚାଲିଥିବା ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦଯାପିତ ହୋଇଯାଇଛି। ଉଦଯାପିତ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ରାଜ୍ୟ ପରିବେଶ ଓ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।ଜିଲ୍ଲା ମହୋତ୍ସବ ନୃତ୍ୟକଳା ଲୋକକଳା ଓ ସଙ୍ଗୀତ ର ପ୍ରଚାର ପ୍ରସାର କରିବା ସହ ସମସ୍ତଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ ବୋଲି ମନ୍ତ୍ରୀ ଶ୍ରୀ ଅମାତ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।ସରକାର ଦୁସ୍ଥ କଳାକାର ଙ୍କୁ ଭତ୍ତା ପ୍ରଦାନ କରିବା ସହ ରାଜ୍ୟ କଳା ସଂସ୍କୃତି ର ଉତ୍ଥାନ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।

ସମ୍ମାନିତ ଅତିଥି ରୂପେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା,ପାଲଲହଡ଼ା ବିଧାୟକ ମୁକେଶ ପାଲ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ , ଯୁବ ମଙ୍ଗଳ ଅଧ୍ୟକ୍ଷ କୁନ ବିହାରୀ ଦାସ ,ଛାତ୍ର ନେତା ଚିନ୍ମୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମହୋତ୍ସବ ରେ ମୟୂରଭଞ୍ଜ ଛଉ,ପଞ୍ଜାବର ଭାଙ୍ଗଡା, ଗିଡା ଓ ଜିନ୍ଦୁଆ ନୃତ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିଥିବା ବେଳେ ସତ୍ୟଜିତ,ଆକାଂକ୍ଷା, ଶୈଲେନ୍ଦ୍ର ଓ ବଣ୍ଟିଯୁବ ଦର୍ଶକଙ୍କୁ ନିଜ ନିଜ ଗୀତରେ ଝୁମେଇ ଥିଲେ।

ସମାରୋହରେ ମହୋତ୍ସବ ର ସ୍ମରଣିକା କୁ ଅତିଥିମାନେ ଉନ୍ମୋଚନ କରିଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ମହୋତ୍ସବ ଅବସର ରେ ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନ କରାଯାଇଥିଲା ସକାଳ ବେଳା ଏକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ପ୍ରଫେସର କୁମୁଦ ଦାଶ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନା ଚକ୍ର ରେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର ଯୋଗ ଦେଇ ଅନୁଗୁଳ ଜିଲ୍ଲାର କଳାସଂସ୍କୃତି ଉପରେ ଆଲୋଚନା କରିଥିଲେ।ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ୍ ଶାନ୍ତନୁ କୁମାର ସର,ଡ଼ା ଧରଣୀଧର ନାଥ,ବିରଞ୍ଚି ସାମଲ ପ୍ରମୁଖ ଯୋଗ ଦେଇ ଆମ ଜୀବନରେ ଭାଷା,ସାହିତ୍ୟ ଓ ସଂସ୍କୃତି ର ଭୂମିକା ଉପରେ ଆଲୋଚନା କରିଥିଲେ।ସଭାରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଙ୍କ ପୁସ୍ତକ “ଅନନ୍ୟ ଅନୁଗୁଳ” ଙ୍କ ସମେତ ଅନ୍ୟ କେତେକ ବହି ଉନ୍ମୋଚିତ ହୋଇଥିଲା।