December 6, 2025 8:45 pm

ଅନାସ୍ଥା ନୋଟିସ୍‌ ଅଗ୍ରାହ୍ୟ ପରେ କକ୍ଷତ୍ୟାଗ କଲା କଂଗ୍ରେସ

ଭୁବନେଶ୍ୱର:ଗତ ୧୮ ତାରିଖରୁ ଆରମ୍ଭ ହୋଇଛି ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା ବିରୋଧୀ କଂଗ୍ରେସ ଦଳ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଦେଇଥିଲେ ଅନାସ୍ଥା ପ୍ରସ୍ତାବ ଚିଠି । ଚିଠିରେ ୧୪ ଜଣ କଂଗ୍ରେସ ବିଧାୟକଙ୍କ ସହ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଦସ୍ତଖତ ଥିଲା । ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ବଳଙ୍ଗା ପୋଡ଼ି ଘଟଣା, ଗୋପାଳପୁର ଗଣଦୁଷ୍କର୍ମ ଘଟଣା, ମହାନଦୀ ଜଳ ବିବାଦ ଏବଂ OTET ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍, ସାର ଅଭାବ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ପଞ୍ଚାୟତ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧି ଓ ନାରୀ ସୁରକ୍ଷା ଇତ୍ୟାଦି ପ୍ରସଙ୍ଗରେ ରାଜ୍ୟ ସରକାର ଫେଲ ମାରିଥିବା କହି କଂଗ୍ରେସ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା ।ହେଲେ ଅବଧି ସରିଯାଇଥିବାରୁ ଅନାସ୍ଥା ଗ୍ରହଣ କଲେନି ବାଚସ୍ପତି । ଅନାସ୍ଥା ନୋଟିସ୍‌ ଅଗ୍ରାହ୍ୟ ପରେ କକ୍ଷତ୍ୟାଗ କରିଥିଲା କଂଗ୍ରେସ । କକ୍ଷତ୍ୟାଗ ପରେ ଏହାକୁ ପ୍ରତିବାଦ କରି ଗାନ୍ଧିମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ମାନେ ଧାରଣା ଦେଇଥିଲେ। ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କହିଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।