December 6, 2025 12:18 pm

କକ୍‌ପିଟ୍‌ରେ କ୍ୟାମେରା ଲଗାଇବା ଦାବିରେ, ଚାଲିଛି ତର୍କ ବିତର୍କ

ନୂଆଦିଲ୍ଲୀ: ଏୟାର୍ ଇଣ୍ଡିଆ ବୋଇଂ ୭୮୭-୮ ବିମାନ ଜୁନ୍ ୧୨ରେ ଦୁର୍ଘଟଣାଗ୍ରସ୍ତ ହେବାର କିଛି ମୁହୂର୍ତ୍ତ ପୂର୍ବରୁ କିଛି ଏଭଳି କଥାବାର୍ତ୍ତା ଫ୍ଲାଇଟ୍ ଅଡିଓ ରେକର୍ଡରରୁ ମିଳିଛି । ଜଣେ ପାଇଲଟ ପଚାରୁଛନ୍ତି, ଆପଣ କାହିଁକି ଇନ୍ଧନ କାଟିଲେ । ଅନ୍ୟ ଜଣକ ଉତ୍ତର ଦେଲେ, ମୁଁ କିଛି କରିନି । ଏହି ରିପୋର୍ଟକୁ ନେଇ ଅନେକ ପ୍ରଶ୍ନ ଉଠିବା ସହ କକ୍‌ପିଟ୍ ଭିଡିଓ ରେକର୍ଡରକୁ ନେଇ ଆରମ୍ଭ ହୋଇଛି ଆଲୋଚନା । କକ୍‌ପିଟ୍‌ରେ ଭିଡିଓ ରେକର୍ଡର ସ୍ଥାପନ କରାଇବାକୁ ଦାବି ଉଠିଲାଣି । ଯାହାଦ୍ୱାରା ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର ଭିଡିଓ ସଠିକ୍ ଉତ୍ତର ଦେଇପାରିବ, ସେତେବେଳେ ଆମେ କେବଳ ଅଡିଓ ଉପରେ କାହିଁକି ନିର୍ଭର କରୁଛୁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଏତେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ଥିବା ବିମାନରେ କାହିଁକି କକ୍‌ପିଟ୍‌ରେ କ୍ୟାମେରା ରହିପାରିବ ନାହିଁ, ଯାହାଦ୍ୱାରା ଜଟିଳ ପରିସ୍ଥିତିରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରାଯାଇପାରିବ ବୋଲି ଭାରତ ଓ ବିଦେଶର ଲୋକମାନେ ପ୍ରଶ୍ନ କରୁଛନ୍ତି । ବିମାନ ଦୁର୍ଘଟଣାର ତଦନ୍ତ କରୁଥିବା ସ୍ୱାଧୀନ ଆମେରିକୀୟ ସରକାରୀ ସଂସ୍ଥା ନ୍ୟାସନାଲ ଟ୍ରାନ୍ସପୋର୍ଟ ସେଫ୍ଟି ବୋର୍ଡ (NTSB) ପ୍ରାୟ ୨୫ ବର୍ଷ ପୂର୍ବେ କକ୍‌ପିଟ୍ ଭିଡିଓ ରେକର୍ଡର ପାଇଁ ଆହ୍ୱାନ ଦେଇଥିଲା । କକ୍‌ପିଟ୍ ଭିଡିଓ ରେକର୍ଡର ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଛନ୍ତି ପାଇଲଟ୍‌ମାନେ । ପାଇଲଟ୍‌ମାନେ ଯୁକ୍ତି ବାଢ଼ିଛନ୍ତି ଯେ କକ୍‌ପିଟ୍‌ର ଫୁଟେଜ୍ ଗୋପନୀୟତା ଉଲ୍ଲଂଘନ କରିବ, କାରଣ ପାଇଲଟମାନେ ଉଚ୍ଚ ଚାପ ପରିସ୍ଥିତିରେ ବେଳେବେଳେ ବେପରୁଆ ଆଚରଣ କରନ୍ତି । ବିମାନ କମ୍ପାନିଗୁଡ଼ିକ ସେମାନଙ୍କ ଉପରେ ନଜର ରଖିବା ପାଇଁ କ୍ୟାମେରାର ବ୍ୟବହାର କରିପାରନ୍ତି ବୋଲି ମଧ୍ୟ ପାଇଲଟ୍‌ମାନେ ଆଶଙ୍କା କରୁଛନ୍ତି । ତା’ପରେ ବିମାନ ଦୁର୍ଘଟଣାର ଭିଡିଓ ଲିକ୍ ହେବାର ଆଶଙ୍କା ରହିଛି, ଯାହା ମୃତକଙ୍କ ସମ୍ପର୍କୀୟଙ୍କୁ ଭୟଭୀତ କରିପାରେ ।

କକ୍‌ପିଟ୍ କ୍ୟାମେରାକୁ ବିରୋଧ ଅଧିକାଂଶ ସମୟରେ ଆମେରିକାର ୟୁନିୟନରୁ ଆସିଥାଏ । ତେବେ ବେଜିଂ ନିଜର ବାଣିଜ୍ୟିକ ବିମାନର କକ୍‌ପିଟ୍‌ରେ କ୍ୟାମେରା ଲଗାଇବାକୁ ଚିନ୍ତା କରୁଥିବା ଜଣାପଡ଼ିଛି । ଯଦିଓ କକ୍‌ପିଟ୍ ଭିଡିଓ ରେକର୍ଡର ପାଇଁ ନୂଆ ଦାବି ହେଉଛି, କିନ୍ତୁ ପାଇଲଟ୍ ସଂଘର ବିରୋଧ ଏହାକୁ ବାସ୍ତବ ରୂପ ଦେବାରେ ବାଧା ସୃଷ୍ଟି କରିପାରେ ।