ଶାନ୍ତନୁ କୁମାର ରଣା
ବ୍ରହ୍ମପୁର: ସହରର ସୌନ୍ଦର୍ଯ୍ୟୀକରଣ ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସହରର ବିଭିନ୍ନ ଛକରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ବେଳେ କେଉଁଠି ଜଳ ଫୁଆରା ତ କେଉଁଠି ଆଲୋକୀକରଣ । ଏହାରି ଭିତରେ ବିଭିନ୍ନ କାନ୍ଥଗୁଡ଼ିକରେ ମହାପୁରୁଷମାନଙ୍କ ପଟ୍ଟଚିତ୍ର ଅଙ୍କାଯାଇଛି । ମହାପୁରୁଷମାନଙ୍କ ପଟ୍ଟଚିତ୍ର କେବଳ ଆକର୍ଷଣୀୟ ନଥିଲା ବରଂ ଶିକ୍ଷଣୀୟ ବାର୍ତ୍ତା ଦେଉଥିଲା ।
ସମ୍ପ୍ରତି ସହରର କିଛି ସ୍ଥାନରେ କାନ୍ଥ ପଟ୍ଟଚିତ୍ର ଗୁଡ଼ିକ ବିଜ୍ଞାପନ ପୋଷ୍ଟର ଆଢୁଆଳରେ ଲୁଚିଗଲାଣି । କେବଳ ବିଜ୍ଞାପନ ପୋଷ୍ଟର ନୁହଁ, ସିନେମା ପୋଷ୍ଟର ଗୁଡ଼ିକ କାନ୍ଥ ପଟ୍ଟଚିତ୍ରର ମହକକୁ ହଜାଇ ଦେଇଛି । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ କାନ୍ଥବାଡ଼କୁ ପରିସ୍କାର କରି ରଙ୍ଗ ଦିଆଯିବା ସହ ସେଠାରେ ପଟ୍ଟଚିତ୍ର ଅଙ୍କାଯାଇଛି । କାନ୍ଥବାଡ଼ରେ ପୋଷ୍ଟର ମାରିବାକୁ ବାରଣ କରାଯାଇଛି । ବିଶେଷ କରି ସହରରେ ଥିବା ସରକାରୀ ସ୍କୁଲ, କଲେଜ ସମେତ ବିଭିନ୍ନ ସରକାରୀ ଅନୁଷ୍ଠାନ ଗୁଡ଼ିକର କାନ୍ଥ ଓ ପାଚେରିରେ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ପର୍ଯ୍ୟଟନ କ୍ଷେତ୍ର ଓ କ୍ରୀଡ଼ାସମ୍ପର୍କିତ ଚିତ୍ର ଅଙ୍କାଯାଇଥିଲା ।
ଏହି ସ୍ଥାନରେ ପୋଷ୍ଟର ବ୍ୟାନର ମାରିବା ପାଇଁ କଡ଼ା କଟକଣା କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଅଧିକାଂଶ ପାଚେରିରେ ଅଙ୍କା ଯାଇଥିବା କଳା କାରୁକାର୍ଯ୍ୟଗୁଡ଼ିକ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି । ଅଧିକାଂଶ କାନ୍ଥ ବିଜ୍ଞାପନ ଓ ସିନେମା ପୋଷ୍ଟର କବ୍ଜାରେ । କିଛି କିଛି ସ୍ଥାନରେ ଲୋକ ଉକ୍ତ ପଟ୍ଟଚିତ୍ର ଉପରେ ପାନ ଓ ଗୁଟୁକା ଛେପ ପକାଇ ଅବା ପରିସ୍ରା କରି ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । ବିଏମ୍ସି କର୍ତ୍ତୃପକ୍ଷ ଏସବୁ ଦେଖିବା ପରେ ବି ନୀରବଦ୍ରଷ୍ଟା ସାଜିଛନ୍ତି । ପୋଷ୍ଟର ଲଗାଉଥିବା ଅନୁଷ୍ଠାନଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।